ବିଜୟ ଆଣିଲେ, ପୁରସ୍କାର ପାଇଲେ ! ବିଜେପୁର ବିଜୟର ପ୍ରମୁଖ ସାରଥୀ-ନିରଞ୍ଜନ, ପ୍ରଫୁଲ୍ଲ, ସୁଶାନ୍ତ ସିଂଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ, ପୂର୍ତ ଓ ଜଳସଂପଦ ବିଭାଗ ଛାଡିଲେ ନବୀନ

18

କନକ ବ୍ୟୁରୋ : ବିଜୟ ଆଣିଲେ ପୁରସ୍କାର ପାଇଲେ । ନବୀନଙ୍କ ହଠାତ ବିଭାଗ ଅଦଳବଦଳ ନିଷ୍ପତି ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ବର୍ଷ ଧରି ନିଜ ପାଖରେ ରଖିଥିବା ଜଳସମ୍ପଦ ଓ ପୂର୍ତ ବିଭାଗ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି ନବୀନ । ନିରଞ୍ଜନ ପୂଜାରୀଙ୍କୁ ଜଳସମ୍ପଦ ଓ ପ୍ରଫୁଲ ମଲ୍ଲିକଙ୍କୁ ଦିଆଯାଇଛି ପୂର୍ତ ବିଭାଗ ଦାୟିତ୍ୱ । ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ନବୀନ । ବିଜେପୁରରେ ବିଜେଡି ବିଜୟର ପ୍ରମୁଖ କର୍ଣ୍ଣଧାର ସାଜିଥିଲେ ଏହି ତିନି ମନ୍ତ୍ରୀ । ତେଣୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇ ୨୦୧୯ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ । କୌଣସି ପୂର୍ବ ସୂଚନା ନଥାଇ ହଠାତ ବିଭାଗ ଅଦଳବଦଳ କରିଛନ୍ତି ନବୀନ । ଆଉ ସବୁଠାରୁ ବଡକଥା ହେଉଛି ପୂର୍ତ ଓ ଜଳସଂପଦ ବିଭାଗ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘବର୍ଷ ହେଲା ଏହି ଦୁଇ ମନ୍ତ୍ରାଳୟ ନିଜ ହାତରେ ରଖିଥିବା ନବୀନ ହଠାତ ଏଭଳି ନିଷ୍ପତି ନେବା ପଛରେ କି କାରଣ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଅନୁସାରେ ମହାନଦୀ ପ୍ରସଙ୍ଗ ହେଉ ବା ପୂର୍ତ ବିଭିଗ ଅଧିନରେ ଚାଲିଥିବା ବିଭିନ୍ନ ପୋଲ ଭୁଷୁଡି ପଡିବା ଘଟଣାରେ ବାରମ୍ବାର ନବୀନଙ୍କୁ କାଠଗଡାରେ ଛିଡା କରୁଥିଲେ ବିରୋଧୀ । ତେଣୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେଡି ସୁପ୍ରିମୋ ଏସବୁ ଦାୟିତ୍ୱରୁ ମୁକ୍ତ ହୋଇ ବିରୋଧୀଙ୍କୁ ଆକ୍ରମଣର ମୌକା ଦେବାକୁ ଚାହୁଁ ନାହାନ୍ତି ।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଳସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ଖଣି ଉ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ ବିଭାଗ ଦାୟିତ୍ୱ ଦିଆଯାଇଛି । ଏହାବାଦ ଅନ୍ୟ ତିନିଟି ବିଭାଗରେ ମଧ୍ୟ ଛୋଟିଆ ପରିବର୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୂଚନା ଓ ଲୋକସଂପର୍କ ବିଭିଗ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗ ଏବଂ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ।

ଆଉଏକ ଚର୍ଚ୍ଚା ଅନୁସାରେ ବିଜେପୁରରେ ବିଜେଡିର ବିପୁଳ ବିଜୟ ପାଇଁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପୁରସ୍କୃତ କରିଛନ୍ତି ନବୀନ । ସେହିପରି ଗାଇସିଲଟ ବ୍ଲକ ଦାୟିତ୍ୱରେ ଥିବା ନରଞ୍ଜନ ପୂଜାରୀ ଓ ବିଜେପୁର ଅବଜରଭର ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଜ ବିଭାଗ ଦେଇ ଗୁରୁତ୍ୱ ବଢାଇ ଦେଇଛନ୍ତି । ଉପନିର୍ବାଚନରେ ବିଜେପିକୁ ମାତ ଦେବା ସହ କଂଗ୍ରେସ ଗଡ ଦଖଲ କରିଥିବାରୁ ଏମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ହସ୍ତାନ୍ତର କରିଛନ୍ତି ନବୀନ ।ଗୋଟିଏ ପଟେ ବିଜେପୁର ବିଜୟ ବିଜେଡି ଶିବିରରେ ଉତ୍ସାହ ଆଣିଦେଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଥ ପରିସ୍କାର କରିଛି । ତେଣୁ ନବୀନଙ୍କ ଏହି ଅଚାନକ ବିଭାଗ ଅଦଳବଦଳ ସେହି ରଣନୀତିର ଏକ ଅଂଶବିଶେଷ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।