ତାଜୁବ କରିଦେଲା ତିନି ମାସର ରିପୋର୍ଟ: ରାଜ୍ୟରେ ୬ ଶହ ଟପିଲା ନାବାଳକ-ନାବାଳିକାଙ୍କ ନିଖୋଜ ସଂଖ୍ୟା

236

କନକ ବ୍ୟୁରୋ: ନିଦ ହଜାଇଛି ନିଖୋଜ ସମସ୍ୟା । ନାବାଳକ-ନାବାଳିକାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି । କିଏ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଉଛି ତ ଆଉ କିଏ ମେଳା ମହୋତ୍ସବରେ ମାଆ ହାତ ଛାଡି ଦେଲା ପରେ ଭିଡରେ ହଜି ଯାଉଛି । ପିଲା ଚାଲାଣକୁ କେହି କେହି ନିଖୋଜର ନୂଆ ନାଁ ଦେଇ ଖସି ଯାଉଛନ୍ତି ତ କିଏ ବନ୍ୟା ପାଣି, ଡ୍ରେନ ପାଣି ଆଦିରେ ଭାସି ନିଖୋଜ ହେଉଛନ୍ତି । ତେବେ ଏମିତି କିଛି ଦୁର୍ଘଟଣା ନିଖୋଜର କାରଣ ପାଲଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ପିଲା ନିଖୋଜ ହେଲେଣି ତାର ଏକ ରିପୋର୍ଟ ମଗା ଯାଇଥିଲା ବିଧାନସଭାରେ । ନାବାଳକ-ନାବାଳିକାଙ୍କ ନିଖୋଜ ନେଇ ବିଧାୟକ ସୁର ରାଉତରାୟ ଏ ବାବଦରେ ଏକ ଲିଖିତ ରିପୋର୍ଟ ମାଗିଥିଲେ । ଆଉ ସୁରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।

ତେବେ ମନ୍ତ୍ରୀଙ୍କ ଲିଖିତ ରିପୋର୍ଟ ତାଜୁବ କରି ଦେଇଛି । ସୁର ରାଉତରାୟ ୨୦୧୬ରୁ ୨୦୧୯ ମଧ୍ୟରେ ନିଖୋଜଙ୍କ ସଂଖ୍ୟା, ନିଖୋଜ ନେଇ ମାମଲା ଓ ଉଦ୍ଧାର ହୋଇଥିବା ପିଲାଙ୍କ ସଂଖ୍ୟା କେତେ ବୋଲି ପ୍ରଶ୍ନ କରିଥିଲେ । ହେଲେ ମନ୍ତ୍ରୀଙ୍କ ୩ ମାସିଆ ରିପୋର୍ଟ ଛାତି ଥରାଇ ଦେଇଛି । ୩ ବର୍ଷ ଛାଡନ୍ତୁ ସବୁ ଠାରୁ ବଡ କଥା ହେଉଛି ଚଳିତ ବର୍ଷର ୩ ମାସରେ ୬୦୨ ଜଣ ପିଲା ନିଖୋଜ ହୋଇଛନ୍ତି । ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୬୦୨ ଜଣ ନିଖୋଜ ଅଛନ୍ତି ।

ତେବେ ୩ ମାସରେ ନିଖୋଜ ୬୦୨ ମଧ୍ୟରୁ ୫୦୨ ଜଣ ନାବାଳିକା ଆଉ ୧୦୦ ଜଣ ନାବାଳକ ଅଛନ୍ତି । ୭୯ ନାବାଳିକାଙ୍କ ସନ୍ଧାନ ମିଳିଥିବା ବେଳେ ୪୫୫ଟି ମାମଲା ରୁଜୁ ହୋଇଛି । ସେହିପରି ୩୧ ନାବାଳକଙ୍କ ସନ୍ଧାନ ମିିଳିଛି ଆଉ ୯୫ଟି ମାମଲା ରୁଜୁ ହୋଇଛି । ରାଜ୍ୟରେ ଗତ ତିନି ମାସରେ ଯଦି ଏତିକ ପିଲା ନିଖୋଜ ହେଉଛନ୍ତି ତେବେ ଆଗାମୀ ଦିନରେ ଏହାର ମାତ୍ରା ବଢିବାର ସମ୍ଭାବନା ରହିଛି । ଆଉ ଏହିଭଳି ନିଖୋଜ ମାତ୍ରା ଯଦି ବଢି ଚାଲେ ତେବେ ଏହାକୁ ରୋକିବା ଆଉ ଉଦ୍ଧାର କରିବା ପୋଲିସ ପାଇଁ, ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହେବ ଏଥିରେ ଦ୍ୱିମତ ନାହିଁ ।