ଟିକଟକ୍ ନେଇ କଣ କାର୍ଯ୍ୟାନୁଷ୍ଠାନ ନେଇଛ ! ବିଭାଗକୁ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

515

କନକ ବ୍ୟୁରୋ: ମାଲକାନଗିରି ଏସଏନସିୟୁରେ ନର୍ସଙ୍କ ଟିକଟିକ ଭିଡିଓ ଘଟଣା । ଘଟଣା ନେଇ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଟିକଟିକ ଭିଡିଓ ସଂକ୍ରାନ୍ତୀୟ ରିପୋର୍ଟ ମାଗିଲେ ନବ ଦାସ । ଭିଡିିଓ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତା ବାବଦରେ ଜଣାଇବାକୁ, ରିପୋର୍ଟ ଦେବାକୁ ବିଭାଗକୁ ନର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ନବ ।

ତେବେ ଟିକଟକ ଭିଡିଓ କରିଥିବା ୪ ଜଣ ନର୍ସଙ୍କୁ ଆଜି ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏସଏନସିୟୁରେ ଭିଡିଓ କରିବା ଓ ନାଚିବା ପରେ ନର୍ସଙ୍କୁ କାଲି କାରଣ ଦର୍ଶାଅ ନୋଟିସ ହୋଇଥିଲା । ମାତ୍ର ଆଜି ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି ।

ମାଲକାନଗିରି ମେଡିକାଲରେ ୪ ଜଣ ନର୍ସ ଟିକଟକ କରିବା ପରେ କାଲି ଠାରୁ ସାରା ରାଜ୍ୟ ହଇଚଇ ସୃଷ୍ଟି ହୋଇଛି । କେମିତି ଡ୍ୟୁଟିରେ ଥାଇ ଓ ପିଲାକୁ ଧରି ଭିଡିଓ ପ୍ରସ୍ତୁତ କରାଗଲା ସେନେଇ ନର୍ସଙ୍କ ଉପରେ ଆଙ୍ଗୁଠି ଉଠିଥିବା ବେଳେ ଆଜି ଜଣେ ନର୍ସ ଏହାକୁ ଖଣ୍ଡନ କରିଛନ୍ତି । ଟିକଟକ କରିଥିବା ଜଣେ ନର୍ସ ଜ୍ୟୋତି ରାୟ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେମାନେ ଡ୍ୟୁଟି ସରିବା ଏହି ଭିଡିଓ ତିଆରି କରିଛନ୍ତି । ଚେଞ୍ଜିଂ ରୁମରେ ସେମାନେ ଟିକଟକ କରିଛନ୍ତି । ଗୋଟିଏ ଭିଡିଓକୁ ଛାଡି ଦେଲା ପରେ ଆଉ ସବୁ ଭିଡିଓ ସେମାନେ ବାହାରେ କରିଛନ୍ତି ।