ଓଡିଶାରେ ୟୁପି ଷ୍ଟାଇଲ୍ ! ରେଢାଖୋଲର ବଇଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତାପ ଜେନାଙ୍କ ଅଚାନକ ପରିଦର୍ଶନ

43

କନକ ବ୍ୟୁରୋ : ଓଡିଶାରେ ୟୁପି ଷ୍ଟାଇଲ୍ । ଆକ୍ସନ ମୁଡରେ ବିଜେଡି ମନ୍ତ୍ରୀ  । ସ୍ୱାସ୍ଥ୍ୟମନ୍ତ୍ରୀ ଗାଦିରେ ବସିବା ପରଠାରୁ ଆକ୍ସନ୍ ମୁଡରେ ପ୍ରତାପ ଜେନା । ଆଜି ଅଚାନକ୍ ରେଢାଖୋଲର ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ହସ୍ୱିଟାଲରେ ରୋଗୀଙ୍କୁ ଭେଟି ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ ପ୍ରତାପ ଜେନା । ଏହା ସହ ବିଭିନ୍ନ ୱାର୍ଡ ମଧ୍ୟ ବୁଲି ଉପଯୁକ୍ତ ଚିକିତ୍ସା ଏବଂ ମାଗଣା ଔଷଧ ଦିଆଯାଉଛି କି ନାହିଁ ରୋଗୀ ମାନଙ୍କୁ ପଚାରିବୁଝିଥିଲେ । ହସ୍ପିଟାଲର ଅନ୍ୟ ଷ୍ଟାଫ୍ , ଆଟେଣ୍ଡାଂଣ୍ଟ ଏବଂ ଆଶା କର୍ମାମାନଙ୍କୁ ଦେଖାକରି ଆଲୋଚନା କରିଥିଲେ ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ।

ନବୀନଙ୍କ ନୂଆ ଟିମର ସଦସ୍ୟ ପ୍ରତାପ ଜେନା । ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛନ୍ତି କ୍ୟାବିନେଟ୍ ପାହ୍ୟା । ତେବେ ପ୍ରତାପ ଜେନାଙ୍କ ଏହି ଆକ୍ସନ୍ ମୁଡ୍ ପ୍ରଥମ ଥର ନଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରତାପ ଜେନାଙ୍କ ଏହି ରୂପ ଦେଖିବାକୁ ମିଳିଛି । ଦାୟିତ୍ୱ ନେଉ ନେଉ ପ୍ରଥମେ ପରିଦର୍ଶନ ପାଇଁ ପହଂଚିଥିଲେ କ୍ୟାପିଟାଲ୍ ହସ୍ୱିଟାଲ୍ । ଘରୋଇ ଡ୍ରେସ୍ ପିନ୍ଧି ନୂଆ ଲୁକ୍ ଏବଂ ନୂଆ ଅନ୍ଦାଜରେ ପହଂଚିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ । ହାଫ୍ ପ୍ୟାଂଟ୍ ଆଉ ଟି – ସାର୍ଟ ପିନ୍ଧି କରିଥିଲେ ଅନୁଧ୍ୟାନରେ । ରୋଗୀଙ୍କୁ ଠିକ୍ ଚିକିତ୍ସା ମିଳୁଛି କି ନାହିଁ? ଡାକ୍ତର ଠିକ୍ ଟାଇମ୍ରେ ଆସୁଛନ୍ତି କି ନାହିଁ? ପ୍ରେସକ୍ରିପସନ୍ରେ ଲେଖାଯାଉଥିବା ଔଷଧ ହସପିଟାଲରେ ମିଳୁଛି କି ନାହିଁ ? ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ବୁଝିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

କ୍ୟାପିଟାଲ୍ ହସ୍ପିଟାଲ୍ ପରେ ଶିଶୁଭବନ ପରିଦର୍ଶନ କରିଥିଲେ ପ୍ରତାପ ଜେନା । ଶିଶୁ ଭବନରେ ବୁଲିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ଶିଶୁଙ୍କ ପାଇଁ ବର୍ହି ବିଭାଗ ଖୋଲିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ତାହା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲର ଶିଶୁ ଓ ପ୍ରସୂତିର ୧୦୦ ଶଯ୍ୟା ବିଶିଷ୍ଠ ଗୃହକୁ ବୁଲି ଦେଖିଥିଲେ । ବିଭିନ୍ନ ଓାଡ ବୁଲି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

ତେବେ ଘରୋଇ ଡ୍ରେସ୍ ପିନ୍ଧି କ୍ୟାପିଟାଲ୍ ହସ୍ପିଟାଲ୍ ପରିଦର୍ଶନ କରିବାକୁ ଯାଇଥିବା ପ୍ରତାପ ଜେନାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । ପ୍ରତାପ ଜେନାଙ୍କୁ କଡା ଭାଷାରେ କଟାକ୍ଷ କରିଥିଲେ ଦାମ ରାଉତ । ପ୍ରତାପଙ୍କ ଘର କ୍ୟାପିଟାଲ୍ ହସ୍ପିଟାଲ ପାଖରେ ଲାଗିଛି । ସେ ସବୁଦିନ ରୋଗୀଙ୍କୁ ଦେଖୁଥିବେ । ତେଣୁ ଉପରଠଉରିଆ ଭାବେ କହିବା କିଛି ଠିକ୍ ନୁହେଁ ।

ତେବେ ୟୁପି ଷ୍ଟାଇଲ୍ କେବଳ ପ୍ରତାପ ଜେନା ଆପଣେଇନାହାଁନ୍ତି । ପଂଚାୟତିରାଜ୍ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ନିଜ ଗାଦିରେ ବସିବା ପରେ ପରେ ଆକ୍ସନ୍ ମୁଡରେ ନଜର ଆସିଛନ୍ତି । ଦାୟିତ୍ୱ ନେବାର ମାତ୍ର ଦୁଇ ଦିନ ପରେ ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଚଢାଉ କରିଥିଲା ଯୋଗାଣ ବିଭାଗ । ତେଲ ଠକେଇ ଏବଂ ଅପମିଶ୍ରଣ କରୁଥିବା ପେଟ୍ରୋଲ୍ ପମ୍ପ ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ।

ସେହିପରି ରାଜ୍ୟର ବିଭିନ୍ନ ବ୍ଲକ୍ ଅଫିସ୍ ଏବଂ ତହସିଲ୍ ପରିଦର୍ଶନ ପାଇଁ ଅଚାନକ ପାହଂଚିଯାଉଛନ୍ତି ପ୍ରଦୀପ ମହାରଥୀ । ବ୍ଲକ୍ ଏବଂ ତହସିଲରେ ସୁଚାରୁରୂପେ କାର୍ଯ୍ୟ କରାଯାଉନଥିବା ଅଭିଯୋଗ ଆସିବା ପରେ ୟୁପି ଷ୍ଟାଇଳ୍ ଆପଣେଇଛନ୍ତି ପ୍ରଦୀପ ମହାରଥୀ ।