ନରସିଂହଙ୍କ ପୂରା ପ୍ରଶ୍ନର ଅଧା ଉତ୍ତର ଦେଲେ ଅରୁଣ । କୃଷିମନ୍ତ୍ରୀ ଦେଇ ପାରିଲେନି କୃଷକଙ୍କ ହିସାବ?

230

କନକ ବ୍ୟୁରୋ : ଅରୁଣଙ୍କ ଅଧା ଉତ୍ତର । କନଫ୍ୟୁଜ୍ କଲେ କୃଷିମନ୍ତ୍ରୀ । ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରଶ୍ନକର୍ତ୍ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା ମନ୍ତ୍ରୀଙ୍କ ଅଧା ଉତ୍ତର । ନବୀନଙ୍କ ପଞ୍ଚମ ପାଳିରେ ନୂଆ କରି କୃଷିମନ୍ତ୍ରୀ ଦାୟିତ୍ୱ ନେଇଥିବା ଅରୁଣ ସାହୁ କାଳିଆ ଯୋଜନା ଓ କୃଷକଙ୍କୁ ନେଇ ଗୃହରେ ଯେଉଁ ଉତ୍ତର ରଖିଥିଲେ ତାହା ସନ୍ତୋଷଜନକ ନଥିଲା । ଯାହାକୁ ନେଇ ବିଧାନସଭାରେ ଏକ ବଡ ଧରଣର ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ।

ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ? କେତେ ଜଣ ଭାଗ ଚାଷ କରୁଛନ୍ତି, କେତେ ନାମ ମାତ୍ର ଚାଷୀ ଅଛନ୍ତି । ଆଜି ବିଧାନସଭାରେ କୃଷିମନ୍ତ୍ରୀଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର । କିନ୍ତୁ କୃଷି ମନ୍ତ୍ରୀଙ୍କ ପାଖରେ ଏହାର ସନ୍ତୋଷଜନକ ଉତ୍ତର ନଥିଲା । ୨୦୧୧ରେ ରାଜ୍ୟରେ କେତେ ଚାଷୀ ଥିଲେ ତାହାର ଉତ୍ତର ଗୃହରେ ଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ୨୦୧୧ର ପୁରୁଣା ପୋଥି ଖେଳାଇ କୃଷି ମନ୍ତ୍ରୀ ଦେଇଥିଲେ କୃଷକଙ୍କ ହିସାବ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ ।

ଗୋଟିଏ ପଟେ କାଳିଆ ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରି ସରକାର ଆର୍ଥିକ ସହାୟତା ଦେଉଥିବା ବେଳେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ ତାହାର ହିସାବ ଗୃହରେ ଦେଇପାରିନଥିଲେ କୃଷିମନ୍ତ୍ରୀ । ତେଣୁ ଚାଷୀଙ୍କ ସଂଖ୍ୟା କେତେ ନ ଜାଣି କାଳିଆ ଯୋଜନା କିଭଳି ଲାଗୁ କରାଗଲା ସେନେଇ ମନ୍ତ୍ରୀ ଉତ୍ତର ଦେବା ଆବଶ୍ୟକ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ । ତେବେ କୃଷିମନ୍ତ୍ରୀ ଯେଉଁ ଉତ୍ତର ଦେଇଥିଲେ ତାହା ନରସିଂହଙ୍କୁ ସନ୍ତୁଷ୍ଟ କରିପାରିନଥିଲା । କାରଣ ଗୋଟିଏ ପଟେ ରାଜ୍ୟରେ ୨୦୧୧ ହିସାବ ଅନୁଯାୟୀ ୫୭ ଲକ୍ଷ ଚାଷୀ ଥିବା ମନ୍ତ୍ରୀ କହୁଥିବା ବେଳେ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ କଂଗ୍ରେସ ବିଧାୟକଙ୍କ ପୂରା ପ୍ରଶ୍ନର କୃଷି ମନ୍ତ୍ରୀଙ୍କ ଅଧା ଉତ୍ତର ଗୃହକୁ ଆଜି ଗରମ କରିଥିଲା ।

ଏହାପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ମଧ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ଅରୁଣ ସାହୁ । ଅଭିଜ୍ଞ ମନ୍ତ୍ରୀର ଟ୍ୟାଗ୍ ମଧ୍ୟ ପାଇଛନ୍ତି । କିନ୍ତୁ ପଞ୍ଚମ ପାଳିରେ ମନ୍ତ୍ରୀ ଭାବେ କୃଷକଙ୍କୁ ନେଇ ଅରୁଣ ଗୃହରେ ଯେଉଁ ଉତ୍ତର ଦେଇଛନ୍ତି ତାହା ତାଙ୍କର ଅଭିଜ୍ଞତା ଉପରେ ପ୍ରଶ୍ନବାଚୀ ଛିଡା କରିଛି ।