ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ଦରଦାମ : ପବିତ୍ର ଗୃହରେ ସତ ମାନିଲେ ମନ୍ତ୍ରୀ, ହେଲେ ଜାତୀୟ ସମସ୍ୟା କହି ଦୋଷ ଠେଲିଦେଲେ

346

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଦରଦାମ ହୁ ହୁ ହୋଇ ବଢ଼ୁଛି । ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଦରଦାମ । ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା ।  ଶୀତକାଳୀନ ଅଧିବେଶନର ସପ୍ତମ ଦିନରେ ଆଜି ଦରଦାମ୍ ବୃଦ୍ଧି କଥା ମାନିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେଲ, ଡାଲି, ଆଳୁ, ପିଆଜ, ଦର ବୃଦ୍ଧି ପାଇଥିବା କଥା ମାନିଛନ୍ତି ମନ୍ତ୍ରୀ । ତେବେ ଦରବୃଦ୍ଧି ରାଜ୍ୟର ନୁହେଁ ବରଂ ଜାତୀୟ ସମସ୍ୟା କହି ଦୋଷ ଠେଲିଦେଇଛନ୍ତି ମନ୍ତ୍ରୀ । ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ପଡ଼ୋଶୀ ରାଜ୍ୟରେ ଦର ନିର୍ଦ୍ଧାରଣର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ପଡ଼ୁଛି କହି ନିଜ ଉପରୁ ଦୋଷ ଛଡ଼ାଇ ନେଇଛନ୍ତି ଯୋଗାଣ ମନ୍ତ୍ରୀ ।

 

ଅନ୍ୟପଟେ ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖିଛନ୍ତି ସରକାର । ବୃଦ୍ଧି ପାଉଥିବା ଦରଦାମ ଯୋଗୁଁ କଳାବଜାର ହେଉଥିବା ସରକାର ଅବଗତ ହୋଇଛନ୍ତି । ଆଉ ଏଥିରୁ ବର୍ତ୍ତିବା ପାଇଁ ତଥା କଳାବଜାର ରୋକିବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଆଳୁ, ପିଆଜ ମହଜୁଦ ନିୟନ୍ତ୍ରଣକୁ କରିବାକୁ ମଧ୍ୟ ନିୟମ ଲାଗୁ କରିଛନ୍ତି ସରକାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି ୧୦୦ କୋଟି ଟଙ୍କାର ଏକ ଫଣ୍ଡ ଗଠନ କରାଯାଇଛି । ଅନ୍ୟପଟେ ସୁଲଭ ଦରରେ ସରକାର ପିଆଜ ବିକୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

 ଅସାଧୁ ଉପାୟରେ ଲୋକଙ୍କୁ ଠକୁଥିବା ବ୍ୟବସାୟୀଙ୍କ ଖବର ସରକାରଙ୍କ ପାଖରେ ରହିଛି । ୨୦୧୮-୧୯ରେ ୫୪୬୬ ମାମଲା ରୁଜୁ ହୋଇ ୧ କୋଟି ୭ ଲକ୍ଷ ୩୨ ହଜାର ୯୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଏହାସହ ତା’ପୂର୍ବବର୍ଷ ତଥା ୨୦୧୭-୧୮ରେ ୬୭୩୭ ମାମଲା ରୁଜୁ ହୋଇ ୧ କୋଟି ୪୯ ଲକ୍ଷ ୫୮ ହଜାର ୬୫୦ ଟଙ୍କା ଆଦାୟ ହୋଇଛି ।