ଖଣି ମାଲିକଙ୍କୁ ଜରିମାନା ନେଇ ଛିଣ୍ଡୁନି ଅଙ୍କକଷା : ସରକାରଙ୍କ ହିସାବ ଏବଂ ବିଜେପି ହିସାବ ଭିତରେ ବଡଧରଣର ତଫାତ୍

38

କନକ ବ୍ୟୁରୋ : ୨୦୧୨ରେ ଅନୈତିକ ଖଣି ଉତ୍ତୋଳନକାରୀଙ୍କ ଉପରେ ଲଗାମ ଲଗାଇବାକୁ ସ୍ଥିର କଲା ଖଣି ବିଭାଗ । ଛୋଟରୁ ବଡ କଂପାନୀର ଚିଠା ପ୍ରସ୍ତୁତ ହେଲା । ହିସାବ ହେଲା ଯେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ଆଦାୟ ହେବ ୬୮ହଜାର୭୦୦ କୋଟି ଟଙ୍କା । ହେଲେ ଏତେ ଉଚ୍ଚ ଜରିମାନା ରାଶି ବିରୋଧରେ ସୁପ୍ରିମକୋର୍ଟ ଗଲେ ଖଣି ମାଲିକ । ସେଂଟ୍ରାଲ ଏମପାୱାର୍ଡ କମିଟି ଗଠନ ହେଲା । ପରିବେଶ ନିୟମ ଉଲଂଘନ ପାଇଁ ୧୭ହଜାର୫୭୬ କୋଟି ଟଙ୍କା ଜରିମାନା ସ୍ଥିର କଲା କମିଟି । କିଛି ଦିନ ତଳେ ସୁପ୍ରିମକୋର୍ଟ ଶତପ୍ରତିଶତ ଜରିମାନା ଆଦାୟ ଦେଲେ ନିର୍ଦ୍ଦେଶ । ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ଜରିମାନା ରାଶି ହେଉଛି ୬୮ହଜାର୮୦୦କୋଟି ଟଙ୍କା ।

ସେପଟେ ବିଜେପିର ଭିନ୍ନ ଅଙ୍କ କଷା । ୫୯ହଜାର କୋଟି ଟଙ୍କାର ହିସାବ ଦେଇଛନ୍ତି ବିଜେପି ସାଧାରଣ ସଂପାଦକ । ସୁପ୍ରିମକୋର୍ଟଙ୍କ ଶତପ୍ରତିଶତ ଜରିମାନା ଆଦାୟକୁ ଭିତ୍ତି କରି ବିଜେପି ଦାବି କରିଛି ଏହା ହେଉଛି ଜରିମାନା ରାଶି । ହେଲେ ଏହା ମଧ୍ୟ ମେଳ ଖାଉନି ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ସହ ।

ଏସବୁ ଭିତରେ ଭିନ୍ନ ହିସାବ ଦେଇଛନ୍ତି ରାଜ୍ୟ ସରକାର । ପାଖାପାଖି ୨୧ହଜାର କୋଟି ଟଙ୍କା ଆଦାୟ ହେବ ବୋଲି କହିଛନ୍ତି ଖଣି ମନ୍ତ୍ରୀ । କାରଣ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନସଙ୍କ ହିସାବ ଅନୁଯାୟୀ ଜରିମାନା ରାଶି କମିଥିବା ସେ ସଫେଇ ଦେଇଛନ୍ତି । ଏହାରି ମଧ୍ୟରେ ଚାରି ବର୍ଷ ବିତିଗଲାଣି । ବର୍ଷ ବର୍ଷ ଧରି ବେଆଇନ୍ ଭାବେ ଖଣି ଖୋଳି କୋଟି କୋଟି ଟଙ୍କା ଆୟ କରିଥିବା ଖଣି ମାଲିକ ଏଯାଏ ଜରିମାନା ଦେଇ ନାହାନ୍ତି । ଏବେ ଜରିମାନା ରାଶିକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ପୁଣି ଥରେ ଆଇନର ଗଳାବାଟ ଦେଇ ଜରିମାନା ରାଶି ଫାଙ୍କିବାକୁ ଉଦ୍ୟମ ହେବା ଆଶଙ୍କା ମଧ୍ୟ ଉପୁଜିଲାଣି ।