ମୋଦି ଶୁଣିଲେନି ମନର କଥା : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ମନା କରିଦେଲା କେନ୍ଦ୍ର କୃଷି ମନ୍ତ୍ରାଳୟ

235

କନକ ବ୍ୟୁରୋ : ବାରମ୍ବାର ଅନୁରୋଧ ସତ୍ୱେ ପ୍ରଧାନମନ୍ତ୍ରୀ ତ ଦେଖା ଦେଲେନି, ଶେଷରେ ସଫାସଫା ମନା ବି କରିଦେଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ବଢ଼ାଇବାକୁ ମନା କରିଦେଇଛି କେନ୍ଦ୍ର କୃଷି ମନ୍ତ୍ରଣାଳୟ । ଆଉ ଯଦି ଲାଭ ହେଉନି, ଖୋଲା ବଜାରରେ ଧାନ ବିକିବାକୁ ବି ପରାମର୍ଶ ଦେଇଛନ୍ତି । ଓଡ଼ିଶା ସରକାର କହୁଛନ୍ତି ଗୋଟିଏ କ୍ୱିଂଟାଲ ପାଇଁ ଚାଷୀ ଖର୍ଚ୍ଚ କରୁଛି-୨୩୪୪ ଟଙ୍କା । ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ମିଳୁଛି-୧୫୫୦ ଟଙ୍କା ।ଏହି ଗଣିତ ହିଁ ବୟାନ କରୁଛି ଆୟ ତୁଳନାରେ ଅଧିକ ବ୍ୟୟ କରୁଛି ଓଡ଼ିଶାର ଚାଷୀ ।

କିନ୍ତୁ କେନ୍ଦ୍ର କୃଷି ମନ୍ତ୍ରାଳୟ କହୁଛନ୍ତି ଅଲଗା କଥା । କୃଷି କମିଶନ ଆଧାରରେ କେନ୍ଦ୍ର ସରକାର କହୁଛନ୍ତି- ଗୋଟିଏ କ୍ୱିଂଟାଲ ପାଇଁ ଚାଷୀ ଖର୍ଚ୍ଚ କରୁଛି-୧୩୨୭ ଟଙ୍କା ।ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ମିଳୁଛି-୧୫୫୦ ଟଙ୍କା । ଅର୍ଥାତ୍ କେନ୍ଦ୍ର କୃଷିମନ୍ତ୍ରାଳୟ ସିଏସିପିର ହିସାବ ଅନୁସାରେ କହୁଛନ୍ତି-ଉତ୍ପାଦନ ଖର୍ଚ୍ଚ ତୁଳନାରେ ଅଧିକ ମିଳୁଛି ଧାନର ସହାୟକ ମୂଲ୍ୟ ।

ଆଉ ଇଏ ହେଉଛି ସେହି ଚିଠି ଯାହା କେନ୍ଦ୍ର କୃଷିମନ୍ତ୍ରାଳୟ ପାଖରୁ ବିଜେଡି କୃଷକ ସାମୁଖ୍ୟର ନେତାଙ୍କ ପାଖକୁ ଆସିଛି । ଯେଉଁଥିରେ ଧାନର ସହାୟକ ମୁଲ୍ୟ ବଢ଼ାଇବା ପ୍ରସଙ୍ଗକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିଦିଆଯାଇଛି । ଯେଉଁ ଆହୁରି ଲେଖାଯାଇଛି- ୨୦୧୭-୧୮ରେ ସରକାର ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିଛନ୍ତି । ୧୪୭୦ ଟଙ୍କାରୁ ଏହାକୁ ୧୫୫୦ ଟଙ୍କାକୁ ଏହା ବୃଦ୍ଧି କରାଯାଇଛି ।

ଯାହାକୁ ନେଇ ଏବେ ରାଜନୀତି ଜୋରଧରିଛି । ପ୍ରେସମିଟ୍ କରି ବିଜେଡି ସମାଲୋଚନା କରିବା ସହ ସ୍ୱାମିନାଥନ୍ କମିଟିର ସୁପାରିଶ ଆଧାରରେ ଏମଏସପି ପଢ଼ାଇବାକୁ ଦାବି କରିଛି । ଗତ ମାର୍ଚ୍ଚ ୨୬ ତାରିଖରେ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ କ୍ୱିଂଟାଲ ପିଛା-୨୯୩୦ ଟଙ୍କା କରିବାକୁ ସର୍ବସମ୍ମତି ପାଇଁ ଦାବି ହୋଇଥିଲା । ଆଉ ଏ ପ୍ରସଙ୍ଗରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ଅନୁରୋଧ ହୋଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଦେଖା ମିଳିନଥିଲା । ଆଉ ଆଜି ଆସିିଛି ସଫାସଫା ଉତ୍ତର । ବଢ଼ିବନି ଏମଏସପି ।

ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି । ପ୍ରକୃତରେ ଗୋଟିଏ କ୍ୱିଂଟାଲ ଧାନ ଉତ୍ପାଦନ ପାଇଁ ଖର୍ଚ୍ଚ ହେଉଛି କେତେ ?ଓଡ଼ିଶା ସରକାରଙ୍କ ୨୩୪୪ ଟଙ୍କା ଠିକ୍ ନା ସିଏସିପି ହିସାବରେ ୧୩୨୭ ଟଙ୍କା ଠିକ୍ ?