ଖଣିଜ ପ୍ରଦୂଷଣ ଉପରେ ନଜର: ୩୯ଟି ସ୍ୱୟଂକ୍ରିୟ କେନ୍ଦ୍ର ସ୍ଥାପିତ

45

କନକ ବ୍ୟୁରୋ: ଖଣି ଏବଂ ଖଣିଜ ପଦାର୍ଥ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣ ଉପରେ ରାଜ୍ୟ ସରକାର ନଜର ରଖିବେ । ପ୍ରଦୂଷଣ ବିଷୟରେ ଜାଣିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୩୯ଟି ସ୍ୱୟଂକ୍ରିୟ ବାୟୁମାନ ପରିମାପକ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ସରକାର ଅନୁଧ୍ୟାନ କରିବେ। ପ୍ରଦୂଷଣ ପାଇଁ ଯେଉଁମାନେ ଦାୟୀ ରହିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖଣିଜ ପଦାର୍ଥର ଉତ୍ତୋଳନ ଓ ଚାଲାଣକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଗଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି । ବୈଠକରେ ଆଜି ପର୍ଯ୍ୟନ୍ତ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା ହୋଇଥିଲା । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସର କାର୍ଯ୍ୟକୁ ଅଧିକ ଫଳାଫଳ ଆଧାରିତ କରିବା ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ ।

ବିଶେଷତଃ ଖଣିଜ ପଦାର୍ଥ ଉତ୍ତୋଳନ ହେଉଥିବା ଜିଲ୍ଲାମାନଙ୍କରେ ଟାସ୍କଫୋର୍ସ ବୈଠକ ନିୟମିତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ନିର୍ଦେଶ ଦେଇଥିଲେ । ଜିଲ୍ଲାସ୍ତରୀୟ କମିଟିର ବିଭିନ୍ନ ପଦକ୍ଷେପ ଆଇ-ଥ୍ରିଏମଏସ୍ ୱେବସାଇଟରେ ଅପଲୋଡ୍ ହେବାର ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଖଣି ନିର୍ଦେଶକଙ୍କୁ କହିଥିଲେ ।

ଖଣି ଅଞ୍ଚଳରେ ଖଣିଜ ଉତ୍ତୋଳନ ଓ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣ ମାତ୍ରାର ଅନୁଶୀଳନ ନିମନ୍ତେ ବାୟୁ ମାନ ପରିମାପକ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଗୁଡ଼ିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୱେବସାଇଟ ସହିତ ଅନଲାଇନ୍ ସଂଯୁକ୍ତ ହୋଇଛି । କୋଇଡ଼ା-ଯୋଡ଼ା-ବଡବିଲ୍ ଖଣି ଅଞ୍ଚଳରେ ବାୟୁର ପ୍ରଦୂଷଣ ତଥ୍ୟ ପ୍ରତି ମିନିଟରେ ଅନଲାଇନରେ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ୧୧ଟି ବଡ଼ ବଡ଼ ଖଣି ଅଞ୍ଚଳରେ ୩୪ଟି ଏବଂ ଖଣିଜ ପରିବହନ ହେଉଥିବା ମୁଖ୍ୟ ସ୍ଥାନମାନଙ୍କରେ ୫ଟି ଏହିପରି ୩୯ଟି ସ୍ୱୟଂକ୍ରିୟ କେନ୍ଦ୍ର ସ୍ଥାପନ ହୋଇଛି । ଏହି ତଥ୍ୟର ଅନୁଶୀଳନ କରି ପ୍ରତି ସପ୍ତାହରେ ଇସ୍ପାତ ଓ ଖଣି ବିଭାଗକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ ଦେଇଥିଲେ।

ଖଣିଜ ପଦାର୍ଥ ଚୋରା କାରବାର ଉପରେ ନଜର ରଖିବା ପାଇଁ ବର୍ତମାନ ସୁଦ୍ଧା ଆଇ-ଥ୍ରଏମଏସ୍ ସଫ୍ଟଓୟାର କାର୍ଯ୍ୟାନ୍ଵୟନ ସହିତ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକମାନଙ୍କରେ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା କରାଯାଇଛି । ବର୍ତମାନ ସୁଦ୍ଧା ପ୍ରାୟ ୩୮ ହଜାର ଟ୍ରକରେ ଜିପିଏସ୍ ଟ୍ରାକିଂ ମେସିନ ଲଗାଯାଇଛି । ସେଗୁଡ଼ିକ ମଧ୍ୟରୁ ୩୭ ହଜାର ଟ୍ରକ୍କୁ ଆଇ-ଥ୍ରିଏମଏସ୍ ସଫ୍ଟଓୟାର ସହିତ ସାଟେଲାଇଟ୍ ମାଧ୍ୟମରେ ସଂଯୋଜିତ କରାଯାଇଛି । ଲୁହାପଥର, କ୍ରୋମାଇଟ୍ ଏବଂ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ରେଳବାଇ ସାଇଡିଂ ସହିତ ଆଇ-ଥ୍ରିଏମଏସ୍ ସଫ୍ଟଓୟାରକୁ ସଂଯୋଜିତ କରାଯାଇଛି । ରେଳବାଇର କୋଇଲା କାରବାର କରୁଥିବା ସାଇଡିଂ ସହିତ ଏହାକୁ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ ।