ମିଲ୍ ମାଲିକଙ୍କ ଗୁଣ୍ଡାଗିରି ! ୧୫ଟି ପରିବାରକୁ ତଡ଼ିବା ପାଇଁ ଘରେ ଲଗାଇଲେ ନିଆଁ, ପ୍ରସୂତି ମହିଳାଙ୍କୁ ମାରିଲେ ମାଡ ।

31

କନକ ବ୍ୟୁରୋ : ମିଲ ମାଲିକଙ୍କ ଗୁଣ୍ଡାଗିରି ଆଦିବାସୀ ପରିବାରଙ୍କୁ କେତେ ଅସହାୟ କରିଦେଇ ପାରେ ସେଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି । ପିପି ରାଇସମିଲ ମାଲିକ ଏକାଧିକ ଆଦିବାସୀ ପରିବାରଙ୍କ ଘର ଭାଙ୍ଗିବା ସହ ଉଭୟ ପୁରୁଷ ଓ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଘରଦ୍ୱାର ନଷ୍ଟ ହୋଇଯିବା ପରେ ଏବେ ଖୋଲା ଆକାଶରେ ଖରାବର୍ଷାର ମାଡ ଭିତରେ ଅତି ଦୟନୀୟ ସ୍ଥିତିରେ ବିତୁଛି ଆଦିବାସୀଙ୍କ ଜୀବନ । ପୁରା ଘଟଣାକୁ ନେଇ ପୋଲିସ ନିକଟରେ ମାମଲା ରୁଜୁ ହୋଇଥିଲେ ବି ମିଲ ମାଲିକଙ୍କ ପତିଆରା ଯୋଗୁଁ ପୁଲିସ ଓ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି ।

ଖୋଲା ଆକାଶ ତଳେ ଏବେ ବିତୁଛି ପ୍ରାୟ ୩୦ ଆଦିବାସୀ ପରିବାରଙ୍କ ଜୀବନ । ଭଦ୍ରକ ଜିଲ୍ଲାର ପିପି ରାଇସ ମିଲ୍ ମାଲିକଙ୍କ ଇସାରାରେ ମିଲର କିଛି ଗୁଣ୍ଡା ଏମାନଙ୍କ ଘର ଭାଙ୍ଗି ଦେବା ସହ ଏହି ଗରିବ ନୀରିହ ମଣିଷଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।ଭଦ୍ରକ ପିପି ରାଇସ ମିଲ ପରିସରରେ ପ୍ରାୟ ୭୮୦ ବର୍ଷ ଧରି ଏହି ଆଦିବାସୀ ମାନେ ରହି ଆସୁଥିଲେ । ଆଉ ମିଲ ଭିତରେ ଗୋତି ଶ୍ରମିକ ଭାବେ କାମ କରୁଥିଲେ । ଆସବାବପତ୍ର ସହ ପିଲାଛୁଆଙ୍କୁ ନେଇ ତୁରନ୍ତ ସ୍ଥାନ ଛାଡିପାରି ନଥିଲେ ଏହି ଗରୀବ ଆଦିବାସୀ ମାନେ । ଆଉ ତାପରେ ଏମାନଙ୍କ ଘରଦ୍ୱାର ଭାଙ୍ଗିବା ସହ ଆସବାବପତ୍ରରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ମିଲ ମାଲିକଙ୍କ ସମେତ ମ୍ୟାନେଜର ପ୍ରଦୀପ ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଏସବୁ ଭିତରେ ଆଉ ଏକ ସାଙ୍ଘାତିକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ମିଲରେ କାମ କରିବା ଭିତରେ ସୁରକ୍ଷା ଅଭାବରୁ କିଛି ଲୋକଙ୍କ ହାତ ଗୋଡ ମଧ୍ୟ କଟି ଯାଇଛି । ହେଲେ ଅନୁକମ୍ପା ତ ଦୂରର କଥା ବରଂ ମିଲ ମାଲିକଙ୍କ ଦୌରାତ୍ମ୍ୟ ଏମାନଙ୍କ ଉପରେ ବଢି ଚାଲିଛି । ଏ ପୁରା ପ୍ରସଙ୍ଗରେ ଗରିବଙ୍କ ପାଇଁ ଦରଦ ତ ଦୂରର କଥା ବରଂ ଭୁଲ ପରେ ଠାଣି ଦେଖେଇ ଚାଲି ଯାଇଥିଲେ କର୍ମଚାରୀ ।
ସେପଟେ ପୋଲିସ କହିବା ଅନୁଯାୟୀ, ପ୍ରଥମେ ମାମଲାର ଆପୋଷ ସମାଧାନ ହୋଇଥିଲା, ଯଦି ଏବେ ସେମାନେ ଜୁଲୁମ ନେଇ ପୁଣି ଅଭିଯୋଗ କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏବେ ସବୁ ଠାରୁ ବଡ ପ୍ରଶ୍ନ କେବେ ନ୍ୟାୟ ପାଇବେ ଏହି ଆଦିବାସୀ ପରିବାର ।