କ୍ଷୀର ଲିଟର ପିଛା ୩୦ ଟଙ୍କା ଦାବି : ରାସ୍ତାରେ କ୍ଷୀର ଢାଳି ଦୁଗ୍ଧ ଚାଷୀ ମହାସଂଘର ବିକ୍ଷୋଭ

32

କନକ ବ୍ୟୁରୋ : କ୍ଷୀରର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୩୦ ଟଙ୍କା ଧାର୍ଯ୍ୟ କରିବା, ମଧ୍ୟାହ୍ନଭୋଜନ, ଶିଶୁ ମହିଳା ମଙ୍ଗଳ କାର୍ଯ୍ୟକ୍ରମରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ରଦାନ, ଦୁଗ୍ଧ ସମବାୟ ସମିତି କାର୍ଯ୍ୟରତ କର୍ମଚାରୀଙ୍କୁ କ୍ୟାଡରଭୁକ୍ତ କରିବା, ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ ଆଦି ଦାବି କରି ବୁଧବାର ଲୋୟର ପିଏମ୍‌ଜିରେ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଦୁଗ୍ଧ ଚାଷୀମାନେ ଦୁଗ୍ଧ ଚାଷୀ ମହାସଂଘ ତଥା ସମାଜବାଦୀ ପାର୍ଟି ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ କ୍ଷୀର କେନ୍‌ ଧରି ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରିବା ପରେ ଲୋୟର ପିଏମ୍‌ଜିରେ କ୍ଷୀର ଢାଳି ନିଜର କ୍ଷୋଭ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀ ବେହେରା କହିଥିଲେ ଯେ, ରାଜ୍ୟରେ ହାରାହାରି ୧୪ ଭାଗ ପରିବାର ଦୁଗ୍ଧ ଉତ୍ପାଦନ ଜରିଆରେ ନିଜର ଭରଣପୋଷଣ କରିଥା’ନ୍ତି। କିନ୍ତୁ ସରକାର ଦୁଗ୍ଧ ଚାଷୀଙ୍କ ଉନ୍ନତି ନେଇ ବିଫଳ ହୋଇଛନ୍ତି । ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ନେଇ ଗଠନ କରାଯାଇଥିବା ଓମ୍‌ଫେଡ୍‌ ତାର କାର୍ୟ୍ୟରେ ବିଫଳ ହୋଇଛି। କ୍ଷୀରର ବଜାର ଦାମ୍‌ ୪୦ ଟଙ୍କା ହୋଇଥିବା ବେଳେ ଓମ୍‌ଫେଡ୍‌ ଚାଷୀଙ୍କଠାରୁ ୨୨ ଟଙ୍କାରୁ ୨୯ ଟଙ୍କା ମଧ୍ୟରେ କ୍ଷୀର କିଣୁଛି । ପୁଣି ଗତ ତିନି ମାସ ହେଲା ଓମ୍‌ଫେଡ୍‌ ୧୬ ଟଙ୍କାରେ ଯୋଗାଉଥିବା ଗୋଖାଦ୍ୟ ୨୦ ଟଙ୍କାରେ ଦେଉଛି । ଗୋଟିଏ ପଟେ ଚାଷୀ କ୍ଷୀରର ଉଚିତ ମୂଲ୍ୟ ପାଉନଥିବା ବେଳେ ଗୋଖାଦ୍ୟ ମୂଲ୍ୟ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।

ଏଥିସହିତ ମହାସଂଘ ୨୦୧୪ ବର୍ଷାକଳୀନ ବିଧାନସଭା ଅଧିବେଶନରେ ଘୋଷିତ ହୋଇଥିବା କ୍ଷୀର ଲିଟର ପିଛା ୨ଟଙ୍କା ପ୍ରୋତ୍ସାହନ ରାଶିକୁ ପିଛିଲା ଭାବେ ପ୍ରଦାନ, ଚାରଣ ଭୂମିର ସୁରକ୍ଷା, ଗାଈ ଓ ମଇଁଷିଙ୍କ ଜୀବନବୀମା ରାଶି ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି, ବିନା ସୁଧରେ ଚାଷୀଙ୍କୁ ଗାଈ ଋଣ ପ୍ରଦାନ ଆଦି ଦାବି କରିଛି।

ବିକ୍ଷୋଭ ଶେଷରେ ଏଥିନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରା ଯାଇଥିଲା । ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, ସୁଦର୍ଶନ ପ୍ରଧାନ, ପ୍ରଦୀପ ମିଶ୍ର, ପ୍ରତାପ ଖୁଣ୍ଟିଆ, ଦିଲ୍ଲୀପ ଦାସ, ବିଜୟ ବେହେରା, ସୁବଳ ବେହେରା, ରାଜ୍ୟପ୍ରିୟ ଦାସ, ହରିହର ବେହେରା, ଦୀପଦାସ ଯାଦବ, ବେଣୁ ଗହୀର, ଅନୀଲ ଯାଦବ, ମିତାଲି ନାୟକ ଓ କାଳୀ ଦାସ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।