ବାପାଙ୍କ ବାସ୍ତବତା ଆଉ ପୁଅର ସ୍ୱପ୍ନ । ଅଣ୍ଡର ୧୯ କ୍ରିକେଟ ବିଶ୍ୱକପରେ ସ୍ଥାନ ପାଇଲେ ପଙ୍କଜ । ବାପା ଘର ଘର ବୁଲି କ୍ଷୀର ବିକୁଥିଲେ, ପୁଅ ଦେଲେ ବଡ ଉପହାର

57

କଠିନ ପରିଶ୍ରମ ଆଉ ପିତାଙ୍କ ତ୍ୟାଗ ଆଉ ବଳିଦାନର ଅନନ୍ୟ ଉଦାହରଣ । ଝାଡଖଣ୍ଡର ଛୋଟିଆ ସହରର ପଙ୍କଜ ଆଗାମୀ ୧୯ ବର୍ଷରୁ କମ୍ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କର ଏହି ଯାତ୍ରା ଅନେକଙ୍କ ପାଇଁ ପ୍ରେରଣାଦୟୀ । ବାପା ଘରକୁ ଘର ବୁଲି କ୍ଷୀର ବିକୁଥିଲେ, ହେଲେ କେବେ ନିଜ ପୁଅର କ୍ୟାରିୟର ସାମ୍ନାରେ କୈାଣସି ପ୍ରତିବନ୍ଧକ ଆସିବାକୁ ଦେଇନଥିଲେ । ଆଉ ଆଜି ପଙ୍କଜଙ୍କ ସଫଳତା ନେଇ ସେ ବେଶ ଗର୍ବିତ ।

୨୦୧୮ରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ ଘୋଷଣା କରାଯାଇଛି । ଏହି ଟିମରେ ଝାଡଖଣ୍ଡର ୧୬ବର୍ଷ ବୟସର କ୍ରିକେଟର ପଙ୍କଜ ଯାଦବଙ୍କୁ ସ୍ଥାନ ମିଳିଛି । ନିଜ ସ୍ପିନର ଯାଦୁରେ ପ୍ରତିପକ୍ଷକୁ ମାତ୍ ଦେଉଥିବା ପଙ୍କଜ, ନ୍ୟୁଜିଲାଣ୍ଡରେ ହେବାକୁ ଥିବା ବିଶ୍ୱକପରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବେ । କଠିନ ସଂଘର୍ଷ ପରେ ପଙ୍କଜ ଆଜି ନିଜକୁ ଏହି ସ୍ଥାନରେ ପହଂଚାଇ ପାରିଛନ୍ତି । ପଙ୍କଜଙ୍କ ବାପା, ଚନ୍ଦ୍ରଦେବ ଘର ଘର ବୁଲି କ୍ଷୀର ବିକ୍ରି କରନ୍ତି । ପୁଅର ଏଭଳି ସଫଳତା ପାଇଁ ସେ ପଙ୍କଜଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି । ପୁଅର କ୍ରିକେଟ ତାଲିମରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନ’ହୁଏ, ସେଥିପାଇଁ ଚନ୍ଦ୍ରଦେବ ଦିନ ରାତି ଖୁବ ପରିଶ୍ରମ କରି, ଘର ଘର ବୁଲି କ୍ଷୀର ବିକ୍ରି କରୁଥିଲେ । ତାଙ୍କର ଏହି ପରିଶ୍ରମ ସଫଳ ହୋଇଥିବାରୁ ପଙ୍କଜଙ୍କ ବାପା ନିଜର ଖୁସି ଜାହିର କରିଛନ୍ତି । ତେବେ ବଡ କଥା ହେଉଛି, ପୁଅ ନିଜର କଠିନ ପରିଶ୍ରମ ବଳରେ ଭାରତୀୟ ଟିମରେ ସାମିଲ ହୋଇ ବାପାଙ୍କୁ ଦେଇଛନ୍ତି ସର୍ବଶ୍ରେଷ୍ଠ ଉପହାର ।

ଏବେ ନଜର ପକାନ୍ତୁ, ଘୋଷଣା ହୋଇଥିବା ଭାରତୀୟ ଦଳରେ କେଉଁ ଖେଳାଳି ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ଡରେ ହେବାକୁ ଥିବା ବିଶ୍ୱକପରେ ପୃଥ୍ୱୀ ଶା(କ୍ୟାପଟେନ), ଶୁଭମ ଗିଲ(ଭାଇସ୍-କ୍ୟାପଟେନ), ମଂଜୋତ କାଲରା, ହିଂମାଶୁ ରାଣା, ରିୟାନ ପରାଗ, ଆର୍ୟନ ଜୁୟଲ(ୱିକେଟ କିପର), ଶିବମ ମାବି, କମଲେଶ ନଗରକୋଟି, ଇଶାନ ପୋରେଲ, ଅର୍ଶଦୀପ ସିଂ, ଅନୁକୁଲ ରାୟ, ଶିବା ସିଂ ଏବଂ ପଙ୍କଜ ଯାଦବ ।

ପଙ୍କଜଙ୍କ ସହ ଝାଡଖଣ୍ଡର ଆଉ ଜଣେ ଖେଳାଳି ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଚାଇଁବସାର ଲେଗସ୍ପିନର ଅନୁକୁଲ ରାୟଙ୍କୁ ଅଣ୍ଡର-୧୯ କ୍ରିକେଟ ଟିମରେ ସ୍ଥାନ ମିଳିଛି । ଏହା ପୂର୍ବରୁ ଅଣ୍ଡର ୧୯ ଟିମରେ ଝାଡଖଣ୍ଡରୁ ସୌରଭ ତିୱାରୀ ଭାରତୀୟ ଟିମର ପ୍ରତିନିଧିତ୍ୱ କରିସାରିଛନ୍ତି । ଭାରତୀୟ ଟିମକୁ ସଫଳତାର ଶୀର୍ଷରେ ପହଂଚାଇଥିବା ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଝାଡଖଣ୍ଡର ବାସିନ୍ଦା । ପଙ୍କଜ ଯାଦବ ଆସନ୍ତା ୮ ଡିସେମ୍ବରରେ ଭାରତୀୟ ଟିମର କ୍ୟାମ୍ପରେ ଯୋଗ ଦେବାକୁ ବାଙ୍ଗାଲୁରୁ ଯାତ୍ରା କରିବେ ।