ବରଗଡରେ କ୍ଷୀର ସାଗର : ହଜାର ହଜାର ଲିଟର କ୍ଷୀର ଢାଳିଲେ ଉତ୍ୟକ୍ତ ଦୁଗ୍ଧଚାଷୀ

50

ବରଗଡ : ଗାନ୍ଧି ଛଳରେ ଦାଦାଗିରି । ବରଗଡରେ ଆନ୍ଦୋଳନକାରୀଙ୍କ ଦୁଗ୍ଧ ସ୍ନାନ । ରାସ୍ତାରେ କ୍ଷୀର ବନ୍ୟା ।ସାରା ରାଜ୍ୟବାସୀଙ୍କ ମନରେ ରାଗ ସୃଷ୍ଟି କରିଥିବା ଏଭଳି ଏକ ଘଟଣା ଘଟିଛି ଏଠାରେ । ଓମଫେଡ୍ ଟ୍ୟାଙ୍କରର ଭାଲଭ ଖୋଲି ଦେଇଛନ୍ତି ଆନ୍ଦୋଳନକାରୀ । ଫଳରେ ରାଜରାସ୍ତାରେ ସୃଷ୍ଟି ହୋଇଛି କ୍ଷୀର ସାଗରର ଭ୍ରମ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ମାତ୍ର କିଛି ମିଟର ଦୁରରେ ଘଟିଛି ଏ ଘଟଣା ।

ସୂଚନା ଅନୁସାରେ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ଅଂଚଳରୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ବରଗଡ ଆସିଥିଲେ ଦୁଗ୍ଧଚାଷୀ । ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବା ସହ ସାଥୀରେ ନେଇ ଆସିଥିବା କ୍ଷୀର କେନକୁ ରାସ୍ତା ଉପରେ ଢାଳିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା । ଆନ୍ଦୋଳନରେ ସାମିଲ ହୋଇଥିଲେ ୪୦ ରୁ ୫୦ ଚାଷୀ । ଆଉ ଏହି ସମୟରେ ଗାନ୍ଧିଛକ ଦେଇ ଯାଉଥିଲା ଏକ ଓମଫେଡ୍ କ୍ଷୀର ଭର୍ତି ଟ୍ୟାଙ୍କର । ଆନ୍ଦୋଳନକାରୀମାନେ ହଠାତ ଏହି ଟ୍ୟାଙ୍କରକୁ ଟାର୍ଗେଟ କରିଥିଲେ । ନିଜ ଦାବି ପୁରଣ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଆନ୍ଦୋଳନକାରୀ ଦେଖୁ ଦେଖୁ ରାସ୍ତାରେ ବୁହାଇ ଦେଲେ ହଜାର ହଜାର ଲିଟର କ୍ଷୀର । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କର ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ଆନ୍ଦୋଳନକାରୀଙ୍କ ନାଁରେ ଏତଲା ଦାୟର ପାଇଁ ନିର୍ଦେଶ ଦେଇଛନ୍ତି ଓମଫେଡ୍ କର୍ତୃପକ୍ଷ । ଅନ୍ୟପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓମଫେଡ୍ ଜିଏମ୍ । ରିପୋର୍ଟ ତଲବ ହୋଇଛି , ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ବରଗଡ ଜିଲ୍ଲାରେ ୧୧୬ଟି ସୋସାଇଟି ଜରିଆରେ ଦିନକୁ ଦିନ ସଂଗ୍ରହ ହୁଏ ୩୫ ହଜାର ହଜାର ଲିଟର କ୍ଷୀର । ଓମଫେଡ୍ ଉପରେ ନିର୍ଭର କରି ଚଳନ୍ତି ପ୍ରାୟ ୮ ହଜାର କ୍ଷୀରଚାଷୀ । ତେବେ କ୍ଷୀରରେ ଅପମିଶ୍ରଣ ହେଉଥିବା ଅଭିଯୋଗ କରି ଚାଷୀଙ୍କ ଠାରୁ କ୍ଷୀର କିଣୁ ନାହିଁ ଓମଫେଡ୍ । ଆଉ ଏହାକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ମୁହାଁ ହୋଇଛନ୍ତି ।