ଆଲଜେରିଆରେ ଭୟାବହ ଦୁର୍ଘଟଣା ! ଖସିପଡିଲା ସେନା ବିମାନ, ମୃତ୍ୟୁ ସଂଖ୍ୟା ୨୫୭କୁ ବୃଦ୍ଧି ।

34

ଆଲଜେରିଆରେ ଖସିପଡିଲା ଏକ ସେନା ବିମାନ । ସୂଚନା ଅନୁସାରେ ବିମାନରେ ସବାର ଥିବା ୨୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ସେନା ଯବାନ ବୋଲି ଜଣାପଡିଛି । ଆଲଜେରିଆ ରାଜଧାନୀରେ ଥିବା ବିମାନବନ୍ଦର ନିକଟରେ ଏହି ଜେଟ୍ଟି ଖସିପଡିଥିଲା । ବିମାନଟି ଖସିପଡିଥିବା ପରେ ପରେ ସେଥିରେ ନିଆଁ ଲାଗିଯାଇଥିଲା । ଖୁବ ଦୂର ପର୍ଯ୍ୟନ୍ତ ମୋଟା କଳା ଧୁଆଁ ଉଠୁଥିବା ମଧ୍ୟ ଦେଖିବାକୁ ମିଳିଥିିଲା । ଏପରିକି ଅଲିଭ ଗଛରେ ବିମାନର ଲାଞ୍ଜ ଲାଖି ରହିଥିବା ଦେଖିବାକୁ ମିଳିଛି । ଏଥିରୁ ଦୁର୍ଘଟଣାର ଭୟାବହତା ଅନୁମାନ କରିହେଉଛି ।

ସମ୍ବାଦ ସରବରାହ ସଂସ୍ଥା ଏପି ସୂତ୍ରରୁ ପ୍ରକାଶ, ଦକ୍ଷିଣ-ପଶ୍ଚିମ ଆଲଜେରିଆରେ ଥିବା ବେକହାର ଅଭିମୁଖେ ବିମାନଟି ଉଡାଣ ଭରିଥିଲା । ବୋଫାରିକ ଏୟାରବେସ୍ ରୁ ବିମାନଟି ଉଡାଣ ଭରିଥିଲା । ତେବେ ସେଠାକାର ସମୟ ଅନୁସାରେ ଏହି ଦୁର୍ଘଟଣା ପାଖାପାଖି ସକାଳ ୮ଟା ସମୟରେ ହୋଇଥିଲା । ବିମାନରେ ବହୁ ସେନା କର୍ମଚାରୀ ଥିଲେ ।

ସ୍ଥାନୀୟ ପ୍ରଶାସନ ପାଖାପାଖି ୧୩୦ଜଣ ସଦସ୍ୟଙ୍କୁ ଉଦ୍ଧାରକାର୍ଯ୍ୟ ପାଇଁ ନିୟୋଜିତ କରିଛନ୍ତି । ଏଥିରେ ୧୪ଟି ଆମ୍ବୁଲାନ୍ସ ଏବଂ ୧୦ଟି ଟ୍ରକ ମଧ୍ୟ ସାମିଲ ରହିଛି ।  ସଦସ୍ୟମାନେ ଯବାନମାନଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟ ଜାରି ରହିଛି ।

ସୋସିଆଲ ମିଡିଆରେ ଏହି ସମ୍ବନ୍ଧିତ ଅନେକ ଭିଡିଓ ସେୟାର କରାଯାଉଛି । ଏହି ଭିଡିଓରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ଲେନରୁ ବାହାରୁଥିବା ଧୁଆଁ ଏବଂ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳର ସଦସ୍ୟମାନେ ରହିଥିବା ଦେଖାଯାଉଛି । ଦୁର୍ଘଟଣା ହୋଇଥିବା ପ୍ଲେନରେ ପାଖାପାଖି ୨୫୭ ଜଣ ଯବାନ ରହିଥିଲେ । ଦୁର୍ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି ।