ହୀରାକୁଦ ଜଳଭଣ୍ଡାରରେ ଅସୁରକ୍ଷିତ ଅତିଥି ! ନଷ୍ଟ ହେଉଛି ବଂଶବିସ୍ତାର ପାଇଁ ଆସିଥିବା ବିଦେଶୀ ପକ୍ଷୀଙ୍କ ଅଣ୍ଡା

71

କନକ ବ୍ୟୁରୋ : ହୀରାକୁଦ ଜଳ ଭଣ୍ଡାରକୁ ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶୀ ପକ୍ଷୀମାନେ ଖରାଦିନେ ଅଣ୍ଡା ଦେଇ ଛୁଆ ଫୁଟାଇବା ପାଇଁ ଆସୁଥିବା ବେଳେ ସୁରକ୍ଷା ଅଭାବରୁ ବିପଦରେ ପଡୁଛନ୍ତି । ନିଶେଦ୍ଧାଞ୍ଚଳ ହୋଇଥିଲେ ମଧ୍ୟ ସୁରକ୍ଷା ଅଭାବରୁ ଲୋକମାନେ ଚଳପ୍ରଚଳ କରୁଥିବାରୁ ପକ୍ଷୀମାନଙ୍କ ଅଣ୍ଡା ଗୁଡିକ ନଷ୍ଟ ହେଉଥିବାର ଦେଖାଦେଇଛି ।

ହୀରାକୁଦରେ ସମ୍ବଲପୁର ପକ୍ଷୀ ବିଶେଷଜ୍ଞଙ୍କ ସହିତ ଗୋଟିଏ ଦିନ ବିତାଇଥିଲା କନକ ନ୍ୟୁଜ । ହଜାର ହଜାର କିଲୋମିଟର ଅତିକ୍ରମ କରି ହୀରାକୁଦକୁ ଆସିଥିବା ବିଦେଶୀ ପକ୍ଷୀ କେତେ ସୁରକ୍ଷିତ ତାହା ପରଖାଯାଇଥିଲା । ହୀରାକୁଦ ଅବବାହିକାରେ ବିଦେଶୀ ପକ୍ଷୀଙ୍କୁ ଦେଖିବା ସହ ସେମାନଙ୍କ ଅଣ୍ଡା ଗୁଡିକ ସୁରକ୍ଷା ଅଭାବରୁ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ନିଷିଦ୍ଧାଂଚଳରେ ସାଧାରଣ ଲୋକଙ୍କ ପ୍ରବେଶ ଯୋଗୁଁ ଓରିଏଂଟାଲ ପାର୍ଟିନକୋଲ ପକ୍ଷୀମାନଙ୍କ ଅଣ୍ଡାଗୁଡ଼ିକ ନଷ୍ଟ ହେଉଛି ।

ଭାରତ ଏକମାତ୍ର ସ୍ଥାନ ହୀରାକୁଦ ଡ୍ୟାମ୍ ରିର୍ଜଭର ଅଂଚଳକୁ ଖରାଦିନେ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଅଣ୍ଡା ଦେବାକୁ ଆସିଥାନ୍ତି । ମୁଖ୍ୟତଃ ଅଷ୍ଟ୍ରେଲିଆ, ମାଲଦୀପ, ଇଣ୍ଡୋନେସିଆ, ପଶ୍ଚିମଏସିଆ ଦେଶ ଗୁଡିକରୁ ଓରିଏଂଟାଲ ପାର୍ଟିନକୋଲ ପକ୍ଷୀ ଆସିଥାନ୍ତି । ସେଠାରେ ଦେଇଥିବା ଅଣ୍ଡା ଫୁଟିବା ପରେ ଶାବକଙ୍କୁ ଧରି ଫେରିଯାଆନ୍ତି ।