ନିଆଳିରେ ଅତିଥି ପକ୍ଷୀଙ୍କ ଭିଡ : ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ଉଠୁଛି ପଡ଼ୁଛି ଦେବୀ ଓ ତଅଁଳା ନଦୀ କୂଳ, ନଦୀର କୁଳୁକୁଳୁ ଶବ୍ଦ ସାଙ୍ଗକୁ ପକ୍ଷୀ କୋଳାହଳ ବାଟୋଇଙ୍କୁ କରୁଛି ଆକୃଷ୍ଟ

486

କନକ ବ୍ୟୁରୋ : ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କ ଓଡିଶା ଆଗମନ ପର୍ଯ୍ୟଟକଙ୍କୁ ଆନମନା କରେ । ଚିଲିକାର ନଳବଣ ଭଳି ହୀରାକୁଦ, ଭିତରକନିକାକୁ ଉଡି ଆସନ୍ତି ବିଦେଶୀ ଅତିଥି । ହେଲେ ଆଜି ଆମେ ଆପଣଙ୍କୁ ଆଉ ଏକ ସ୍ଥାନ ବିଷୟରେ କହିବୁ । ଯେଉଁଠିକୁ ସୁଦୂର ସାଇବେରିଆ, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶରୁ ଉଡି ଆସିଛନ୍ତି ରଙ୍ଗ ବେରଙ୍ଗର ପକ୍ଷୀ । ଦଳଦଳ ହୋଇ ନଦୀରେ ପହଁରୁଥିବା ଅତିଥିଙ୍କୁ ଯିଏ ଥରେ ଦେଖିଛି ସିଏ କହିଛି ଏ ଦୂଶ୍ୟ ଚିଲିକା ଠାରୁ କୌଣସି ଗୁଣରେ କମ ନୁହେଁ ।

ତଅଁଳା ନଦୀର କଅଁଳ ଦୃଶ୍ୟ । ପଶ୍ଚିମ ଆକାଶରେ ସ୍ୱର୍ଣ୍ଣିମ ସୂର୍ଯ୍ୟାସ୍ତ । ନଦୀଜଳରେ ଅସ୍ତଗାମୀ ସୂର୍ଯ୍ୟ କିରଣର ପ୍ରତିବିମ୍ବ । ଆଉ ସ୍ୱର୍ଣ୍ଣିମ ଆକାଶରେ ଅତିଥିଙ୍କ ଉଡିବାର ମନୋରମ ଦୃଶ୍ୟ ସତରେ କେତେ ଆନନ୍ଦଦାୟକ ହୁଏତ ତାହା ଶବ୍ଦରେ କହିବା ଅସମ୍ଭବ । ଏଇ ଦୃଶ୍ୟକୁ ଦେଖିବା ପରେ କବିଙ୍କର ସେହି ପଂକ୍ତି ‘ସୁନ୍ଦର ତୁପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିସୁଥାଇ’ ମନେ ପଡିଯାଉଛି । ଆପଣ ଦେଖୁଥିବା ଦୃଶ୍ୟ ଚିଲିକା କି ହୀରାକୁଦ ଜଳଭଣ୍ଡାରର ନୁହେଁ, ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକର ଦେବୀ ନଦୀ ଏବଂ ତା’ ଶାଖା ନଦୀ ତଅଁଳାର ।

ନିଆଳି ତଅଁଳା ନଦୀର ସ୍ୱଚ୍ଛ ପାଣି ସହ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ଚଳିତ ବର୍ଷ ଏଠାରେ ୨୧ ପ୍ରକାର ବିଦେଶାଗତ ପକ୍ଷୀଙ୍କ ଭିଡ ଲାଗିଛି । ପକ୍ଷୀମାନେ ମହା ଆନନ୍ଦରେ ନଦୀରେ ଦଳଦଳ ହୋଇ ବିଚରଣ କରବା ସହ ନୀଳ ଆକାଶରେ ଉଡୁଥିବାର ଦେଖି କିଛି କ୍ଷଣ ଅଟକି ଯାଉଛନ୍ତି ବାଟୋଇ ।

ତେବେ ଅତିଥିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ । ବନବିଭାଗ ପକ୍ଷରୁ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ସହ ଶିକାରୀଙ୍କ ଉପରେ ନଜର ରଖିବାକୁ ଦାବି ହୋଇଛି ।