ସୁରତରୁ ସ୍ପେଶାଲ ଟ୍ରେନରେ ଆଜି ଯାଜପୁର ଆସୁଛନ୍ତି ପ୍ରବାସୀ ଓଡିଆ: ରେଳ ଷ୍ଟେସନରେ ସ୍ୱାଗତ ପାଇଁ ବଡ ବ୍ୟବସ୍ଥା; କାଲି ଟ୍ରେନରେ ଆସିିଛନ୍ତି ୬ ଜିଲ୍ଲାର ୪୦୦ରୁ ଅଧିକ

170

କନକ ବ୍ୟୁରୋ: ଆଜି ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଆଉ ଏକ ଟ୍ରେନ୍ ଯାଜପୁରରେ ପହଁଚିବ । ଯାଜପୁର ରେଳଷ୍ଟେସନରେ ପ୍ରବାସୀ ଓଡିଆଙ୍କ ସ୍ୱାଗତ ପାଇଁ କରାଯାଇଛି ସମସ୍ତ ବ୍ୟବସ୍ଥା । ଗତକାଲି ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ ରାତିରେ ପହଁଚିଥିଲା । ଏହି ଟ୍ରେନରେ ଯାଜପୁର ଜିଲ୍ଲା ସମେତ କଟକ, ଜଗତସିଂହପୁର, କେଉଁଝର, ପୁରୀ, ନୟାଗଡ ଓ ଖୋର୍ଧା ଜିଲ୍ଲାର ପ୍ରାୟ ୪ ଶହରୁ ଅଧିକ ପ୍ରବାସୀ ଓଡିଆ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ପ୍ରବାସୀ ଓଡିଆଙ୍କ ଫେରିବା ନେଇ ଆଗରୁ ଜିଲ୍ଲା ପ୍ରଶାସନ ଓ ରେଳବାଇ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପୁରା ଅଂଚଳରେ ଜାରି ହୋଇଛି ୧୪୪ ଧାରା । ଟ୍ରେନରୁ ଓହ୍ଲାଇବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ମରାଯାଇଥିଲା । ଏହା ପରେ ବସ୍ ଯୋଗେ ପ୍ରଶାସନ ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସେମାନଙ୍କ ଅଂଚଳର କ୍ୱାରେଂଟିନ୍ ସେଂଟରକୁ ପଠାଇବା ବ୍ୟବସ୍ଥା କରିଛି । ସାମାଜିକ ଦୂରତା ରକ୍ଷା ସହିତ ସମସ୍ତ କାମ ହୋଇଥିଲା । ଯାଜପୁର ରେଳଷ୍ଟେସନରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ସ୍ୱାସ୍ଥ୍ୟ ଯାଂଚ ପରେ କ୍ୱାରେଂଟିନ୍ ସେଂଟରକୁ ପଠାଇବା ବ୍ୟବସ୍ଥା କରିଛନ୍ତି ।