ପାଦ ଥମିଗଲା, ଜୀବନ ଚାଲିଗଲା… ଜୀବନ ପାଇଁ ଘରକୁ ଫେରିଲା ବେଳେ ମଝି ରାସ୍ତାରେ ମାଡି ବସିଲା ମୃତ୍ୟୁ । ବଞ୍ଚିଥିବା ବେଳେ ଗାଡି ମିଳିଲାନି, ମଲା ପରେ ମିଳିଲା ଆମ୍ବୁଲାନ୍ସ । ଶ୍ରମିକ ବୋଲି ଶବ ନେବାକୁ ଆମ୍ବୁଲାନ୍ସ ଭଡା ୮ ହଜାର…

3,338

କନକ ବ୍ୟୁରୋ: ସରିଲାନି ରାସ୍ତା, ଚାଲିଗଲା ଜୀବନ । ଘରକୁ ଫେରୁ ଫେରୁ ଆଖି ବୁଜିଦେଲା ଶ୍ରମିକ । ବଞ୍ଚିଥିବା ବେଳେ ଗାଡି ମିଳିଲାନି, ମଲା ପରେ ଆସିଲା ଆମ୍ବୁଲାନ୍ସ । ବିଧାତାର ବିଚିତ୍ର ଖେଳ ନା ବ୍ୟବସ୍ଥାର ଦୋଷ? ସେ ଶ୍ରମିକ ବୋଲି ମଲାପରେ ବଢ଼ିଲା ମୂଲ । ବଞ୍ଚିଥିବା ବେଳେ ଗାଡ଼ି ଆସିଲାନି କିନ୍ତୁ ମୃତ୍ୟୁ ପରେ ଶବକୁ ନେବାକୁ ମିଳିଗଲା ଆମ୍ବୁଲାନ୍ସ । ତାହା ପୁଣି ମାଗଣାରେ ନୁହେଁ ଶ୍ରମିକର ଶବ ବୋଲି ୮ ହଜାର ଟଙ୍କାରୁ ଟଙ୍କେ କମ କଲାନି ଆମ୍ବୁଲାନ୍ସ । ଲକଡାଉନ ଭିତରେ ମାଲକାନଗିରିରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା । ଯାହା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନର ପାହାଡ଼ ଛିଡ଼ା କରିଛି ।

ତାଲାବନ୍ଦରେ ହାଇଦ୍ରାବାଦରୁ ମାଲକାନଗିରି ଟାଙ୍ଗନିତଙ୍ଗକୁ ଚାଲିଚାଲି ଆସୁଥିଲେ ୨୨ ବର୍ଷୀୟ କସା ମାଡକାମୀ । କିନ୍ତୁ ବିଡ଼ମ୍ବନାର ବିଷୟ ହେଲା କି, ଘରେ ପହଚିଂବା ପୂର୍ବରୁ ଜୀବନ ଚାଲିଗଲା । ଆଉ ମୃତ୍ୟୁ ପରେ ଘରକୁ ଫେରିବାକୁ ଶବ ଦେଲା ୮ ହଜାର । ଏକ ଆମ୍ବୁଲାନ୍ସ ଭଡା କରି ୮ ହଜାର ଟଙ୍କାରେ ଶବକୁ ଗାଁକୁ ଫେରାଇ ଆଣିଥିଲେ ସାଥୀ ଶ୍ରମିକ । ବଞ୍ଚିଥିବାବେଳେ ଶ୍ରମିକଟି ଘରକୁ ଫେରିବା ପାଇଁ ଗାଡ଼ି ପାଇଲାନି କିନ୍ତୁ ସେ ମଲାପରେ ଶବ ପାଇଁ ଆମ୍ବୁଲାନ୍ସ ମିଳିଲା ଆଉ ଯାହାର ଦାମ୍ ଥିଲା ଝାଳଠୁ ଅଧିକ ।

ସେପଟ ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ବଞ୍ଚିଥିବାବେଳେ ଦେଖିପାରିଲେନି ପରିବାର ଲୋକେ । ଆଉ ଭେଣ୍ଡିଆ ପୁଅର ଶବ ଆସିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପୂରା ପରିବାର । କାରଣ ସେ ହିଁ ଥିଲା ଘରର ମେରୁଦଣ୍ଡ । କେବଳ ପରିବାର ଲୋକ ନୁହେଁ ପୂରା ଗାଁରେ ଶୋକାକୁଳ ପରିବେଶ ।

ତେବେ ଶ୍ରମିକଙ୍କ ମୃତ୍ୟୁ ପରେ ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘର ବାହୁଡ଼ା ନୀତି ଉପରେ ଉଠିଛି ଅନେକ ପ୍ରଶ୍ନ? କାହା ପାଇଁ ଏତେ ସବୁ ଯୋଜନା? ଏତେ ସବୁ ନୀତି ନିୟମ ? ଜଣେ ଶ୍ରମିକ ଯଦି ବଞ୍ଚି ଥାଉ ଥାଉ ତା’ର ଜୀବନର ମୂଲ୍ୟ ନାହିଁ, ଆଉ ମଲାପରେ ତା ଶବର ଦାମକୁ ନେଇ ମୂଲଚାଲ ହେଉଛି ସେଠି ସରକାରଙ୍କ ବଡ଼ ବଡ଼ ଘୋଷଣା ଫମ୍ପା ମାଠିଆର ଶବ୍ଦ ନୁହେଁ ତ?