ପ୍ରବାସୀ ବଢ଼ାଇଲେ ସରକାରଙ୍କ ଚିନ୍ତା: ଶତାଧିକ ଟ୍ରେନରେ ଓଡ଼ିଶା ପହଁଚିଲେଣି ଦେଢ଼ ଲକ୍ଷରୁ ଅଧିକ ଶ୍ରମିକ । ଅମାନିଆ ପ୍ରବାସୀଙ୍କ ଯୋଗୁଁ ଆହୁରି ସଂଗୀନ ହେଉଛି ସମସ୍ୟା । ବିରୋଧୀଙ୍କ ସମାଲୋଚନା, କେତେ ପ୍ରବାସୀ ଫେରୁଛନ୍ତି, ସରକାରଙ୍କ ପାଖରେ ନାହିଁ ସୂଚନା ।

476

କନକ ବ୍ୟୁରୋ: ପ୍ରବାସୀଙ୍କ ପାଇଁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରବାସୀଙ୍କ ଫେରିବା ନେଇ ଯେଉଁ ନିୟମ ହୋଇଥିଲା, ରାସ୍ତା ଉପରେ ପ୍ରବାସୀଙ୍କ ନାହିଁ ନଥିବା ଦୁର୍ଦ୍ଦଶା ଦେଖି ସେଥିରେ କୋହଳ କରିଛନ୍ତି କେନ୍ଦ୍ର ସରକାର । ଆଉ ଏପଟେ ରାଜ୍ୟରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ରବିବାର ସୁଦ୍ଧା ୧୦୧ ଟି ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍ ଓଡ଼ିଶା ଆସିଛି, ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ପ୍ରବାସୀ ପହଁଚିଛନ୍ତି ରାଜ୍ୟରେ । ଦିନକୁ ଦିନ ଏହି ସଂଖ୍ୟା ଏପରି ବଢିଚାଲିଛି ଯେ ସେମାନଙ୍କୁ କିପରି କ୍ୱାରେଂଟିନ୍ରେ ରଖାଯିବ, କିପରି ସେମାନଙ୍କ ଥଇଥାନ କରାଯିବ, ଏ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର ।

ପ୍ରବାସୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଟକଣା କୋହଳ ହେବା ପରେ କିଏ, କେଉଁଠୁ ଓଡ଼ିଶା ଆସୁଛନ୍ତି, କେତେ ଲୋକ ଆସୁଛନ୍ତି, ତାହା ଉପରେ ଆଉ ନଜର ରଖିô ପାରୁନାହାନ୍ତି ସରକାର । କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ ଯେଉଁ ରାଜ୍ୟକୁ ପ୍ରବାସୀ ଫେରିବେ, ସଂପୃକ୍ତ ରାଜ୍ୟର ଅନୁମତି ନେବା ଆଉ ଆବଶ୍ୟକ ପଡ଼ୁନାହିଁ । ତେଣୁ ସରକାରଙ୍କ ପାଖରେ ଆଉ ପୂର୍ବଭଳି ପ୍ରବାସୀଙ୍କ ହିସାବ ରହୁନାହିଁ । ବିନା ସୂଚନାରେ ରାଜ୍ୟକୁ ପ୍ରବାସୀ ଆସୁଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।

ସେପଟେ ଘରକୁ ଫେରୁଥିବା କିଛି ଅମାନିଆ ପ୍ରବାସୀ ଶ୍ରମିକ ସରକାରଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛନ୍ତି । ଟ୍ରେନ୍ ଚେନ୍ ଟାଣି ରାସ୍ତା ମଝିରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଛନ୍ତି । ସୁରଟରୁ ନିର୍ଗୁଣ୍ଡି ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ୩ଶହରୁ ଉଦ୍ଧ୍ୱର୍ ଶ୍ରମିକ କଂଟାବାଂଞ୍ଜିରେ ଟ୍ରେନ ଚେନପୁଲିଂ କରି ବାଟରେ ଖସିଯିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ପ୍ରବାସୀଙ୍କୁ ଅଟକାଇଥିଲା । ତେବେ କିଛି ଲୋକ ଖସି ପଳାଇଥିଲେ । ଅନ୍ୟମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ସେହପରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ୍ରୁ ମଧ୍ୟ ଏପରି ଚିତ୍ର ଆସିଛି । ମହାରାଷ୍ଟ୍ରରୁ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ରାଉରକେଲା ଓ ଝାରସୁଗୁଡ଼ାରେ ନଅଟକିବାରୁ ନୂଆଗାଁ ଷ୍ଟେସନ୍ରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ ଶ୍ରମିକ । ଏପରି ସ୍ଥିତି ଏବେ ସରକାରଙ୍କ ଆଗରେ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି ।