ଦାଦନ ସମସ୍ୟା ସହ ଜୁଝୁଛି ନୂଆପଡା । ଦୁଇ ମାସରେ ୪ ଶହରୁ ଅଧିକ ଶ୍ରମିକ ଉଦ୍ଧାର

241

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରୁ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବହୁ ତତ୍ପରତା ଦେଖାଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ରାଜ୍ୟରେ ଥିବା ଦାଦନ ଦଲାଲମାନଙ୍କୁ ଗିରଫ କରାଯାଇଥିଲା। ଏହି ଶ୍ରମିକ ଦଲାଲମାନଙ୍କୁ ଗିରଫ କଲେ ରାଜ୍ୟରେ ପଶ୍ଚିମ ଓଡ଼ିଶାରୁ ଦାଦନ ଶ୍ରମିକ ଚାଲାଣ ବନ୍ଦ ହେଉ ନାହିଁ।

ପଶ୍ଚିମ ଓଡ଼ିଶାରେ ପ୍ରତି ଦିନ ଶହଶହ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବା ବେଲେ କିଛି ଶ୍ରମିକ ଓ ଦଲାଲ ପୁଲିସ ହାତରେ ଧରାପଡ଼ିଛନ୍ତି। କଡ଼ା ନିୟମ ସତ୍ତ୍ବେ ନୂଆପଡ଼ା ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ବନ୍ଦ ହେଉନାହିଁ। ଜିଲ୍ଲାରେ ୨ ମାସ ଭିତରେ ୪ଶହରୁ ଉର୍ଦ୍ଧ୍ବ ଶ୍ରମିକ ଉଦ୍ଧାର କରାଯାଇଛି, ଏବଂ ୨ ଜଣ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨ଜଣ ଶ୍ରମିକ ନିଖୋଜ ଥିବା ଜଣାପଡିଛି। ନୂଆପଡ଼ା ଜିଲ୍ଲାରେ ଚଳିତ ମାସ ୧୬ ତାରିଖ ଦିନ ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସମରସିଂ ଗ୍ରାମର ପାଣ୍ଡବ ବିଭାର (୪୨) ଉତ୍ତରପ୍ରଦେଶ ଲକ୍ଷ୍ନୌର ନିଗାଓ ଥାନା ବଜରଙ୍ଗୀ ଠାରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ୧୮ ତାରିଖ ଦିନ ପାଣ୍ଡବ ବିଭାରର ମୃତଦେହ ଏକ ଗଛରେ ଝୁଳୁଥିବା ଦେଖିବାକୁ ପାଇଥିଲେ। ଶବ ବ୍ୟବଚ୍ଛେଦ ପରେ ୫ ଦିନ ପରେ ଶବ ଘରକୁ ଫେରିଥିଲା।

କୋମନା ବ୍ଳକର ଡୁଙ୍ଗୁରିପାଲି ଗାଁର ଜନ୍ମେଜୟ ମହାକୁଡ଼ (୪୦) ସିକିନ୍ଦରାବାଦ ଦାଦନ ଖଟିବାକୁ ୨୬ ଅକ୍ଟୋବର ଦିନ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା। ଲଖନା ଥାନା ବାବୁପାଲି ରହେନପଦର ଗାଁର ବିଜ୍ରଲାଲ ବାଗ (୪୫) ସେପ୍ଟେମ୍ବର ୧୩ ତାରିଖ ଦିନ ତେଲେଙ୍ଗାନା ହାଇଦ୍ରାବାଦ କାମାରେଡ଼୍ଡ ଗାଁକୁ କାମ କରିବାକୁ ଯାଇଥିଲେ। ସେଠାରେ ଆଜିକୁ ୨୦ ଦିନ ହେବ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଠାରେ ଗୁହାର କରିଛନ୍ତି। ବୋଡ଼େନ ଥାନା ଆମ୍ବଗୁଡ଼ା ଗାଁର କିଶୋର ବନ୍ଦିଛୋର ନାମ ଜଣେ ଦାଦନ ଶ୍ରମିକ ତେଲେଙ୍ଗନା ସିକିନ୍ଦ୍ରାବାଦକୁ ଇଟାଗଢ଼ିବାକୁ ଯାଇ ସେଠାରେ ନିଖୋଜ ହୋଇଥିଲେ ମଧ୍ୟ ତାଙ୍କର ଖୋଜଖବର ନାହିଁ।

କୋମନା ପୁଲିସ ୨୫ ଅକ୍ଟୋବର ଦିନ ୭ ଶିଶୁଙ୍କ ସହ ୨୭ ଜଣଙ୍କୁ ଉଦ୍ଧାର କରିଥିଲେ। ୪ ନଭେମ୍ବର ଦିନ ୩ ଟି ଜିଲ୍ଲା କଳହାଣ୍ଡି, ବଲାଙ୍ଗୀର ଓ ସୋନପୁର ର ୪୭ଟି ଦାଦନ ଶ୍ରମିକ, ଖରିଆର ରୋଡ଼ ଜୋଙ୍କ ପୁଲିସ ୧୨୫ ଶ୍ରମିକ, ୧୩ ନଭେମ୍ବରରେ ସିନାପାଲି ପୁଲିସ ୭ଜଣ, ନୂଆପଡ଼ା ପୁଲିସ ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜିଲ୍ଲାରେ ୪ଶହରୁ ଉର୍ଦ୍ଧ ଶମ୍ରିକମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ପୁଲିସ ପକ୍ଷରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଶ୍ରମିକମାନଙ୍କୁ ନିଜ ଘରକୁ ଛାଡି ଦିଆଯାଇଛି। ଜିଲ୍ଲାରେ ବର୍ତ୍ତମାନ ଦଲାଲମାନେ ରାତ୍ରରେ ଗାଁମାନଙ୍କରେ ରହି ଶ୍ରମିକମାନଙ୍କୁ ଏକତ୍ର କରି ମଧ୍ୟ୍ୟରାତ୍ରରେ ସେମାନଙ୍କୁ ଗାଡିରେ ନେଇ ବିଭିନ୍ନ ରେଲୱ ଷ୍ଟେସନକୁ ଯାଇ ଅନ୍ୟ ରାଜ୍ୟକୁ ପଠାଉଛନ୍ତି। ସରକାରଙ୍କ କଡ଼ା ନିୟମ ଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ବହୁ ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି।