ଛୁଟିରେ ପିଲା, କିଏ ଖାଇଲା ? ମିଡଡେ ମିଲରେ ମହାଦୁର୍ନୀତି, ସରକାରୀ ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ ।

ଚକିତ କରିଦେଉଥିବା ଘଟଣା ହେଲା କି, ଏହି ବାଲିକୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଗତ ରବିବାର ଦିନ ୧୯ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥାଇ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଛନ୍ତି ବୋଲି ଏମଡିଏମର ସ୍ୱତନ୍ତ୍ର ଆପ୍ ରିପୋର୍ଟରେ ଉଲ୍ଲେଖ ରହିଛି ।

1,006

କନକ ବ୍ୟୁରୋ: ଛୁଟି ଦିନରେ ବି ମିଳୁଛି ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ସ୍କୁଲ ମୁହାଁ କରାଇବା ଲାଗି ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଥିବାବେଳେ ଉପାନ୍ତ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଧିନରେ ଥିବା ବାଲିକୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଛୁଟି ଦିନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଛି । ଏଭଳି କିଛି ତଥ୍ୟ ରାଜ୍ୟ ସରକାରଙ୍କ ମିଡଡେ ମିଲ୍ ମୋବାଇଲ୍ ଆପ୍ ରିପୋର୍ଟରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସରକାରୀ ସ୍ୱତନ୍ତ୍ର ଆପରେ, ଗତ ୩୦ ଜୁନ୍ ଅର୍ଥାତ୍ ରବିବାର (ଛୁଟିଦିନ)ରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି ବୋଲି ଦର୍ଶାଯାଇଛି ।

ଚକିତ କରିଦେଉଥିବା ଘଟଣା ହେଲା କି, ଏହି ବାଲିକୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଗତ ରବିବାର ଦିନ ୧୯ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥାଇ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଛନ୍ତି ବୋଲି ଏମଡିଏମର ସ୍ୱତନ୍ତ୍ର ଆପ୍ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ସରକାରୀ ଛୁଟି ଦିନ ଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଏଭଳି ଅନିୟମିତତା ଶିକ୍ଷକଙ୍କ ଖାମଖିଆଲି ତଥା ଅର୍ଥାଲୋଭ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ଅନ୍ୟପଟେ ବାଲିକୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ନିଜସ୍ୱ କୌଣସି ଶ୍ରେଣୀ ଗୃହ ନାହିଁ, ବରଂ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଏକ ଭଙ୍ଗା ଘରେ ପିଲା ପାଠ ପଢ଼ୁଛନ୍ତି । ଜଣେ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ସହକାରୀ ଶିକ୍ଷକ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ସେପଟେ ଛୁଟି ଦିନରେ ପିଲା ମଧ୍ୟାହ୍ନ ଭୋଜନ ଖାଇବା ଘଟଣା ନେଇ ପ୍ରଧାନ ଶିକ୍ଷକ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି କି, ସେ କୌଣସି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରନ୍ତି ନାହିଁ  କିମ୍ବା ବିଦ୍ୟାଳୟରେ ମଧ୍ୟ କୌଣସି ଇଣ୍ଟନନେଟର ବ୍ୟବସ୍ଥା ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି କୁନି କୁନି ପିଲାଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାକୁ କିଏ ହରିଲୁଟ୍ କରୁଛି, ଆଉ କାହା ପେଟକୁ ଯାଉଛି ମିଡଡେ ମିଲ୍ ଟଙ୍କା ?

ସେପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ମଧ୍ୟାହ୍ନ ଭୋଜନ ଯୋଜନାର ବାଟବଣା ହେବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ର କହିଛନ୍ତି କି, ସରକାରୀ ମିଡଡେ ମିଲ୍ ଆପରେ ଏହି ଘଟଣା ସାମ୍ନାକୁ ଆସିଛି କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । କୁନି କୁନି ପିଲାଙ୍କ ନାଁରେ ଏହି ମିଡଡେ ମିଲ ଯୋଜନା ଜରିଆରେ ସରକାରୀ ଅର୍ଥକୁ ହରିଲୁଟ୍ କରିବା ନେଇ ତୁରନ୍ତ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।