ଭୁବନେଶ୍ୱରରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ। ଯାତ୍ରୀଙ୍କୁ ହଇରାଣ କଲେ, ଲଗେଜ ଭାଙ୍ଗିଲେ

1,421

କନକ ବ୍ୟୁରୋ: ଭୁବନେଶ୍ୱରରେ ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସରେ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ । ରାତି ଅଧରେ ଯାତ୍ରୀଙ୍କୁ ହଇରାଣ କରିବା ସହ ଯାତ୍ରୀଙ୍କ ଲଗେଜ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ବାହାରେ ଯିବାରୁ ପୋଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡିଥିଲା । ଭୁବନେଶ୍ୱରରେ ଚାଲିଥିବା ଆର୍ମି ଇଂଟରଭ୍ୟୁ ଦେବାକୁ ବିହାରରୁ ଶହ ଶହ ପରୀକ୍ଷାର୍ଥୀ ଆସିଥିଲେ । ରାତି ପ୍ରାୟ ୧୧ଟାରେ ଟ୍ରେନରେ ଯିବାକୁ ଷ୍ଟେସନ ଯାଇଥିଲେ । ପୁରୁଷୋତ୍ତମ ଏକ୍ସପ୍ରେସରେ ଯାତ୍ରୀଙ୍କ ସିଟରେ ଜୋର ଜବରଦସ୍ତ ବସିଥିଲେ । ତେବେ ଟ୍ରେନ ଦେଢଘଂଟା ବିଳମ୍ବ ହେବାରୁ ଯାତ୍ରୀଙ୍କୁ ଭୟଭୀତ କରିବା ସହ ଭଙ୍ଗାରୁଜା କରିଥିଲେ । ରେଳବାଇ ପୋଲିସ କିଛି ପିଲାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୁରୁଷୋତ୍ତମ ଏକ୍ସପ୍ରେସରେ ଜୋରଜବରଦସ୍ତ ଚଢ଼ିଗଲେ: ୫ ଥର ଚେନ୍ ଟାଣିଲେ

ରବିବାରଠାରୁ ଭୁବନେଶ୍ବରର ୧୨୦ ବାଟାଲିଆନରେ ସେନା ନିଯୁକ୍ତି ମେଳା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ହେଉଥିବା ଏହି ପରୀକ୍ଷାରେ ଓଡ଼ିଶା ସମେତ ବିହାର ଓ ଉତ୍ତରପ୍ରଦେଶର ପରୀକ୍ଷାର୍ଥୀମାନେ ହଜାର ହଜାର ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ବିଶେଷକରି ଉତ୍ତରପ୍ରଦେଶ ଓ ବିହାରର ପରୀକ୍ଷାର୍ଥୀମାନେ ପୂର୍ବରୁ କୌଣସି ରିଜର୍ଭେସନ୍ ନକରି ଦିଲ୍ଲୀରୁ ଓଡ଼ିଶା ଆସୁଥିବା ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନରେ ଜୋରଜବରଦସ୍ତ ଚଢ଼ି ଭୁବନେଶ୍ବର ଆସିଥିଲେ। ଫଳରେ ଦୁଇଦିନ ହେଲା ନନ୍ଦନକାନନ ଏକ୍ସପ୍ରେସ୍ ଓ ନୀଳାଚଳ ଏକ୍ସପ୍ରେସ୍ ଆଦି ଟ୍ରେନଗୁଡ଼ିକରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଗୋଟିଏ ସଂରକ୍ଷିତ ବଗିରେ ଶହ ଶହ ସଂଖ୍ୟାରେ ପ୍ରବେଶ କରି ସେମାନେ ଏଭଳି ଉତ୍ପାତ କରୁଥିଲେ ଯେ ଟ୍ରେନରେ ଆସୁଥିବା ଯାତ୍ରୀମାନେ ଅକଥନୀୟ ନିର୍ୟାତନାର ଶିକାର ହୋଇ ତ୍ରାହି ତ୍ରାହି ଡାକିଥିଲେ।