ହଷ୍ଟେଲରେ ମିଳୁନି ଖାଇବା, ସ୍କୁଲ ଛାଡିଲେ ଛାତ୍ରୀ ! ଜୟପୁର ବୈପାରୀଗୁଡ କଲାର ସେବାଶ୍ରମର ୭୦ ଛାତ୍ରୀ ଛାଡିଲେ ସ୍କୁଲ

45

କନକ ବ୍ୟୁରୋ : ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବହୁ ଅର୍ଥ ବ୍ୟୟ କରୁଛନ୍ତି । ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ନିଯୁକ୍ତ ହୋଇଛନ୍ତି ବହୁ ବଡ଼ବଡ଼ ଶିକ୍ଷାବିତ୍ । ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ଓ ବିଆରସିସି ଭଳି ଅନେକ ପଦବୀ ସୃଷ୍ଟିକରି ଶିକ୍ଷାରମାନ ବଢ଼ାଇବାକୁ ବହୁ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବିପୁଳ ଅର୍ଥଶ୍ରାଦ୍ଧ ସତ୍ତ୍ୱେ ଶିକ୍ଷାରମାନ ଓ ଶିକ୍ଷା ଦୀକ୍ଷାରେ ଅଭିବୃଦ୍ଧି ଘଟୁନାହିଁ । କେଉଁଠି ଶ୍ରେଣୀଗୃହ ନାହିଁ ତ କେଉଁଠି ଅଧିକ ଛାତ୍ରଛାତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷକ । ଏପରି ଅବସ୍ଥାରେ ରାଜ୍ୟରେ ପାଠପଢ଼ା ଚାଲିଛି । ତେବେ ସରକାର ପିଲାଙ୍କୁ ସ୍କୁଲ ଆଡ଼କୁ ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗୋଟିଏ ଗୋଟିଏ ସ୍କୁଲରେ ମଧ୍ୟାହ୍ନ ଭୋଜନ ମଧ୍ୟ ଠିକରେ ଦିଆଯାଉନାହିଁ ।

ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାଡିଲେ ଛାତ୍ରୀ । ଜୟପୁର ବୈପାରୀଗୁଡା କଲାର ସେବାଶ୍ରମ ସ୍କୁଲର ୭୦ ଜଣ ଛାତ୍ରୀ ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାଡିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଛାତ୍ରୀ ରହି ପାଠ ପଢୁଥିଲେ । ଅଧିକାଶଂ ସମୟରେ ଭୋକରେ ରହିବାକୁ ପଡ଼ୁଥିଲା ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି । ସ୍କୁଲରୁୁ ପଦାକୁ ବାହାରିଲା ପରେ ଛାତ୍ରୀ ମାନଙ୍କ ଏପରି ଅବସ୍ଥା ଦେଖି ପାଖ ଗାଁର କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ । ପରେ ସେହି ଛାତ୍ରୀ ମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି । ଏଭଳି ଅବ୍ୟବସ୍ଥା ଛାତ୍ରୀଙ୍କ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ମଧ୍ୟ ସ୍ୱୀକାର କରିବା ସହ କାଠ ନଥିବାରୁ ସ୍କୁଲରେ ରନ୍ଧା ହୋଇ ପାରୁ ନାହିଁ, ଆଗରୁ ମଧ୍ୟ ଏପରି ହେଉଥିଲା ବୋଲି କହିଛନ୍ତି ।