ନବୀନ ନିବାସରେ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ ନବୀନ : ଗୋଟିଏ ଟେବୁଲରେ ଏକାଠି ହେଲେ ନବୀନ, ଶାହା, ମମତା ଓ ନୀତିଶ, ଓଡିଆ ଖାଦ୍ୟର ମଜା ନେଲେ ଅତିଥି

800

କନକ ବ୍ୟୁରୋ : ନବୀନ ନିବାସରେ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଟେବୁଲରେ ଏକାଠି ହେଲେ ନବୀନ, ଶାହା, ମମତା, ଓ ନୀତିଶ । ଅତିଥିଙ୍କୁ ପରଷା ଗଲା ଓଡିଆ ଖାଦ୍ୟ ।ଅତିଥି ମାନଙ୍କୁ ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ପରଷା ଯାଇଛି । ସମ୍ପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ବି ଏହି ମଧାହ୍ନ ଭୋଜନରେ ଅତିଥିଙ୍କୁ ପରଷା ଯାଇଛି । ଏହି ମଧ୍ୟାହ୍ନ ଭୋଜନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ।

ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଭିତରେ ଯେତେବେଳେ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି , ସେତେବେଳେ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲରେ ଶାହା, ମମତା ଓ ନୀତିଶଙ୍କୁ ବସାଇବାରେ ସଫଳ ହୋଇଛନ୍ତି । ଯାହାକି ଜାତୀୟ ରାଜନୀତିକୁ ବଡ ବାର୍ତ୍ତା ଦେବାକୁ ଯାଉଛି । କାରଣ ଦୀର୍ଘ ସମୟ ଧରି ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଥିଲେ । ଆଗକୁ ରହିଛି ପଶ୍ଚିମବଙ୍ଗ ଓ ବିହାର ବିଧାନସଭା ନିର୍ବାଚନ ।

ତା ସହିତ ଓଡିଶାରେ ୪ ରାଜ୍ୟସଭା ଆସନ ପାଇଁ ବି ନିର୍ବାଚନ ହେବ । ଏସବୁକୁ ଦେଖିଲେ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚାକୁ ଜୋର କରିଛି । ତେବେ ନବୀନଙ୍କ ସହିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ଏକାଠି ହେବା ଘଟଣାକୁ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।