ଝିଅ ସହ ବସି ମିଡ ଡେ ମିଲ ଖାଇଲେ କଲେକ୍ଟର ବାପା । ପ୍ରଶଂସାରେ ଶତମୁଖ ସୋସିଆଲ ମିଡିଆ

90

ଛତିଶଗଡର ଜଣେ ଆଇଏଏସ ଅଧିକାରୀଙ୍କ ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ କିନ୍ତୁ ସେଭଳି କିଛି ନ୍ୟୁଜ ନାହିଁ । କିନ୍ତୁ ଏହି ଫଟୋ ପଛରେ ରହିଛି ଏକ ଶାନଦାର କାହାଣୀ । ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ଜିଲ୍ଲାପାଳ ନିଜ ଝିିଅ ସହ ଲଂଚ କରୁଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ।

ଏହି ଆଇଏଏସ ଅଧିକାରୀ ଜଣକ ହେଉଛନ୍ତି, ଛତିଶଗଡର ବଳରାମପୁର ଜିଲ୍ଲାର ଜିଲ୍ଲାପାଳ ଅଭିନିଶ କୁମାର ଶରନ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଭିନିଶ କୁମାରଙ୍କ ଝିଅ ଛତିଶଗଡର ଏକ ମାମୁଲି ସ୍କୁଲରେ ପଢୁଛି ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମିଶି ସ୍କୁଲରେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନଭୋଜନ କରୁଛି । ଜିଲ୍ଲାପାଳ ନିୟମିତ ଭାବେ ଏହି ସ୍କୁଲ ବୁଲିବାକୁ ଆସୁଛନ୍ତି ।

ଜିଲ୍ଲାପାଳ ଦିନେ ଦ୍ୱିପ୍ରହରରେ ସ୍କୁଲରେ ପହଂଚିଥିଲେ ଓ ଝିଅ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ସେହି ସମୟର ଫଟୋ ଏବେ ଛତିଶଗଡରେ ଭାଇରାଲ । ଛତିଶଗଡରେ ଏକ ଛୋଟିଆ ସହରର ଏହି ମାମୁଲି ସ୍କୁଲରେ ଛଅ ମାସ ପୂର୍ବରୁ ନିଜ ଝିଅର ଆଡମିଶନ କରାଇଥିଲେ ଜିଲ୍ଲାପାଳ । ପ୍ରାଥମିକ ବିଦ୍ୟାଳୟରେ ପଢିବା ଆଗରୁ ତାଙ୍କ ଝିଅକୁ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରରେ ପଢାଇଥିଲେ ।ହାତପାହାନ୍ତାରେ ସବୁ ସୁବିଧା । ସରକାରୀ ଗାଡି ଠାରୁ ଆରମ୍ଭ କରି ଉଚ୍ଚବେତନ ଭଳି ଅନେକ କିଛି । ସେ ଗୋଟିଏ ଜିଲ୍ଲାର ଅଧିପତି । କିନ୍ତୁ ଏସବୁ ତାଙ୍କ ପାଇଁ ତୁଚ୍ଛ ।

ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ନିଜ ପିଲାଙ୍କୁ ଅଧିକ ଟଙ୍କା ଦେଇ ପ୍ରାଇଭେଟ ସ୍କୁଲରେ ଆଡମିଶନ କରାଉଥିବା ବେଳେ ସେ କିନ୍ତୁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପ୍ରକୃତରେ ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ନିଜ ଝିଅର ନାଁ ଲେଖାଇ ଅଭିନିଶ ଯେଉଁ ପରମ୍ପରା ଆରମ୍ଭ କରିଛନ୍ତି ଯଦି ସବୁ ସରକାରୀ ଅଧିକାରୀମାନେ ଏଭଳି କରନ୍ତେ ତେବେ ସବୁ ସରକାରୀ ବିଦ୍ୟାଳୟର ଅବସ୍ଥା ବଦଳିପାରନ୍ତା । ଜିଲ୍ଲପାଳଙ୍କ ଅଭିନବ ଯୋଜନା ଅନେକ ଲୋକଙ୍କୁ ଅନୁପ୍ରାଣିତକରିବା ସହ ସେମାନଙ୍କ ମନୋବଳ ବୃଦ୍ଧିପାଇବାରେ ସହାୟକ ହେବ । ବଦଳିବ ଲୋକଙ୍କ ମାନସିକତା । ସରକାରୀ ସ୍କୁଲର ପରିବେଶ ବଦଳିବ ଫଳରେ ଦେଶର ଉନ୍ନତି ହେବ ।

ଏହି ଫଟୋ ଭାଇରାଲ ହେବା ପରେ ଟ୍ୱିଟରରେ ଜିଲ୍ଲପାଳଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଜିଲ୍ଲାପାଳଙ୍କ ମାନସିକତା ଓ ଯୋଜନାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି । କେବଳ ସରକାରୀ ଅଧିକାରୀ ନୁହନ୍ତି, ରାଜନୈତିକ ବ୍ୟକ୍ତିମାନେ ସେମାନଙ୍କ ପୁଅଝିଅଙ୍କୁ ପ୍ରାଇଭେଟ ସ୍କୁଲ ମୋହ ଛାଡି ସରକାରୀ ବିଦ୍ୟାଳୟରେ ପଢାଇଲେ ସାଧାରଣ ଲୋକମାନେ ଉପକୃତ ହେବା ସହ ଲୋକଙ୍କ ମାନସିକତାରେ ପରିବର୍ତନ ଆସନ୍ତା ।