ମଧ୍ୟାହ୍ନ ଭୋଜନରେ ମହାଘୋଟାଲା : ମାଲକାନଗିରିିରେ ପିଲାଙ୍କ ଥାଳିରୁ ଚାଉଳ ଚୋରି କରୁଛନ୍ତି ମାଫିଆ

27

କନକ ବ୍ୟୁରୋ : ପିଲାଙ୍କ ଖାଇବା ଥାଳିରୁ ଚାଉଳ ଚୋରି । ଭିନ୍ନ ଭିନ୍ନ ଉପାୟରେ ପିଲାଙ୍କ ମୁହଁରୁ ଭାତ ଛଡାଇ ନେଉଛନ୍ତି ମାଫିଆ । ମଧ୍ୟାନ୍ନ ଭୋଜନକୁ ହରିଲୁଟ କରୁଛନ୍ତି ଶିକ୍ଷକ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସରକାରୀ କଳ । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରୁ । କିଏ ଚାଉଳ ବସ୍ତାରେ କମ ପରିମାଣର ଚାଉଳ ଯୋଗାଉଛି, ତ କିଏ ମିଥ୍ୟା ଉପସ୍ଥାନ ଦର୍ଶାଇ ପିଲାଙ୍କ ଭାତର ମାନ ଓ ପରିମାଣ କମାଇ ମାଲେ ମାଲ ହୋଉଛନ୍ତି ।

ସ୍କୁଲ ପିଲାଙ୍କ ଭାତ ହାଣ୍ଡି ଉପରେ ମାଫିଆଙ୍କ ନଜର । ପିଲାଙ୍କ ଖାଦ୍ୟ ଖାଇ ମାଲେମାଲ ଶିକ୍ଷକ, ବ୍ୟବସାୟୀ ଓ ସରକାରୀ ବାବୁ । ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଅଫିସର, ଶିକ୍ଷକ, ବ୍ୟବସାୟୀ, ଟ୍ରାନ୍ସପୋର୍ଟର ଓ ମିଲରଙ୍କ ମଧୁଚନ୍ଦ୍ରିକା ଗ୍ରାମବାସୀଙ୍କ ହାତରେ ଧରାପଡିଛି । ସଦର ବ୍ଲକ ଗୌଡଗୁଡା ବାଟପାଲି ସ୍କୁଲକୁ ମଧ୍ୟାନ୍ନ ଭୋଜନ ଲାଗି ବସ୍ତା ବସ୍ତା ଚାଉଳ ଯୋଗାଇ ଦିଆଯାଉଛି । ତେବେ ଚାଉଳ ବସ୍ତାର ଓଜନ ୫୦ କେଜି ବୋଲି ଲେଖାଥିବା ବେଳେ ବସ୍ତାରେ ୪୨ ରୁ ୪୫ କେଜି ଚାଉଳ ରହୁଥିବା ଓଜନରୁ ଜଣାପଡିଛି ।

କେବଳ ବାଟପାଲି ନୁହଁ, ଏମ୍.ଭି-୧୧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌଡଗୁଡା ଉଚ୍ଚ ପ୍ରଥମିକ ବିଦ୍ୟାଳୟରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ଚାଉଳ ହରିଲୁଟ ଘଟଣାର ଆଉ ଏକ ଉଦାହରଣ ଜିଲ୍ଲାର କେନ୍ଦୁଗୁଡା ଗାଁରେ ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନ ଚାଉଳ ବିଦ୍ୟାଳୟକୁ ନଯାଇ ବ୍ୟବସାୟୀଙ୍କ ଗୋଦାମରେ ରହୁଛି । ଏନେଇ ଗ୍ରାମବାସୀ ଖବର ଦେବା ପରେ ଏକ ଇନ୍ଦିରା ଆବାସ ଘରରୁ ୫୭ ବସ୍ତା ଚାଉଳ ଜବତ କରିଛି ଯୋଗାଣ ବିଭାଗ ।

ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରୁଥିବା ବ୍ୟକ୍ତି ଦୋଷ ଲୁଚାଇବା ପାଇଁ ସରକାରୀ ବସ୍ତା ଅଦଳବଦଳ କରୁଥିବା ଅଭିଯୋଗ ରହିଛି । ଗାଁ ଗୋଦାମ ଠାରୁ ଆରମ୍ଭ କରି ଏଫ.ସି.ଆଇ, ରାଇସ ମିଲ, ଟ୍ରୋନ୍ସପୋର୍ଟ ଏଜେନ୍ଟ ଯାଏଁ, ସବୁଠି ବସ୍ତା ଅଦଳବଦଳ କରି ପିଲାଙ୍କ ଖାଦ୍ୟକୁ ଅତି ଚତୁରତାର ସହ ରିସାଇକ୍ଲିଙ୍ଗ କରାଯାଉଛି । ପିଲାଙ୍କ ଖାଇବାର ମାନ ଓ ପରିମାନ ସହ ସାଲିସ କରିବା ସହ ଅଧିକ ଉପସ୍ଥାନ ଦେଖାଇ ମାଲେ ମାଲ ହୋଉଛନ୍ତି ଦୁର୍ଗମ ଅଂଚଳର ଶିକ୍ଷକ ମାନେ । ଓ ମୋଟା ଅଙ୍କ ରୋଜଗାର କରୁଛନ୍ତି ବ୍ୟବସାୟୀ ।