ଆଧାର କାର୍ଡ ନାହିଁ ତ ମଧ୍ୟାହ୍ନ ଭୋଜନ ନାହିଁ ! ଛାତ୍ରଛାତ୍ରୀଙ୍କ ପାଇଁ ଡେଡଲାଇନ୍ ଜାରି କଲେ ସରକାର

71

କନକ ବ୍ୟୁରୋ : ଆଧାର କାର୍ଡ ନାହିଁ ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ନାହିଁ । ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲର ସବୁ ଛାତ୍ରଛାତ୍ରୀଙ୍କ ଡାଟା ସହ ଆଧାର ନମ୍ବର ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ରଂଜନା ଚୋପ୍ରା ରାଜ୍ୟର ସମସ୍ତ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର-ଡିଇଓ, ବ୍ଲକ୍ ଏଜୁକେସନ୍ ଅଫିସର- ବିଇଓ ଏବଂ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ପାଇବାକୁ ହେଲେ ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଓ ମଧ୍ୟାହ୍ନ ଭୋଜନ ଯୋଜନାର ହିତାଧିକାରୀଙ୍କ ପାଇଁ ଆଧାର ନମ୍ବର ଯୋଡ଼ିବାକୁ ବାଧ୍ୟତାମୂଳକ କରିଛନ୍ତି ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବରକୁ ଜୁଲାଇ ୩୧ ତାରିଖ ସୁଦ୍ଧା ଷ୍ଟୁଡେଂଟ୍ ଡାଟାବେସରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ପୂର୍ବରୁ ବି ନର୍ଦ୍ଦେଶ ଦେଇଥିଲେ । ଏହି ଡାଟାବେସ୍ ଏବେ ରାଜ୍ୟ ଓ ସର୍ବଭାରତୀୟ ସ୍ତରରେ ସ୍ୱଚ୍ଛତା ଆଣିବ ବୋଲି ଆଶା କରାଯାଉଛି । ତେବେ ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ବା ନମ୍ବର ନାହିଁ, ସେମାନଙ୍କ ଆଧାର କାର୍ଡ ଖୁବ୍ ଶୀଘ୍ର ତିଆରି କରାଇନେବା ପାଇଁ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।