ମାଇକ୍ରୋଫାଇନାନ୍ସ ଚିଟଫଣ୍ଡ ଠକେଇ ମାମଲା: ମୁଖ୍ୟ ଅଭିଯୁକ୍ତ ତଥା ସିଏମଡି ଦୁର୍ଗାପ୍ରସାଦଙ୍କୁ ୩ ବର୍ଷ ଜେଲ୍

28

କନକ ବ୍ୟୁରୋ: ୨୦୧୪ ମସିହାରେ ରାଜ୍ୟରେ ଚିଟଫଣ୍ଡ ଠକେଇ ହଇଚଇ ସୃଷ୍ଟି କରିଥିଲା । ଅନେକ ଚିଟଫଣ୍ଡ ସଂସ୍ଥା ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ । ଏମାନଙ୍କ ମଧ୍ୟରେ ଥିଲା ମାଇକ୍ରୋଫାଇନାନ୍ସ ଚିଟଫଣ୍ଡ ଠକେଇ ।

ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସିଏମଡି ଦୁର୍ଗାପ୍ରସାଦ ମିଶ୍ରଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ୨୧୫ କୋଟି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୫ ଦିନ ତଳେ ଦୁର୍ଗାପ୍ରସାଦ ସମସ୍ତ ଦୋଷ ସ୍ୱୀକାର କରିନେଇଥିଲେ । କମ୍ପାନୀର ଅନ୍ୟତମ ସିଏମଡି ଅଶୋକ ପଟ୍ଟନାୟକଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ସାଢେ ୩ ବର୍ଷ ଜେଲଦଣ୍ଡ ଦେବା ସହ ୧୦୫ କୋଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସଂପୂର୍ଣ୍ଣ ଘଟଣାଟି ହେଲା, ମାଇକ୍ରୋଫାଇନାନ୍ସ ରାଜ୍ୟର ବିଭିନ୍ନ ଶାଖା ମାଧ୍ୟମରେ ପାଖାପାଖି ୫ ଶହ କୋଟି ଟଙ୍କା ଠକେଇ କରିଥିଲା । ପ୍ରଥମେ ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିଥିଲା । ପରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ୨୦୧୪ ମସିହାରେ କମ୍ପାନୀର ସିଏମଡି ଦୁର୍ଗାପ୍ରସାଦ ମିଶ୍ର, ନିିର୍ଦ୍ଦେଶକ ବୈକୁଣ୍ଠ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଗିରଫ ହୋଇଥିଲେ । ୨୦୧୫ ମସିହାରେ ସିବିଆଇ ମାଇକ୍ରୋଫାଇନାନ୍ସ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ତେବେ ମାମଲାରେ ଅଭିଯୁକ୍ତ ଉପେନ୍ଦ୍ର ମିଶ୍ର ଓ କାଳୀପ୍ରସାଦ ମିଶ୍ରଙ୍କୁ ଏ ଯାଏଁ ସିବିଆଇ ଗିରଫ କରିପାରିନାହିଁ ।