‘ମି ଠୁ’ ଜାଲରେ ବିଶିଷ୍ଟ ଓଡିଆ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ! ସହକର୍ମୀଙ୍କୁ ଜୋର ଜବରଦସ୍ତ ଅସଦାଚରଣ କରିଥିବା ଅଭିଯୋଗ, ଟ୍ୱିଟରରେ ପୂରା କାହାଣୀ କହିଲେ ନିଶା ବୋରା

115

ବଲିଉଡ, ରାଜନୀତି ଓ ଗଣମାଧ୍ୟମରେ ହେଉଥିବା ଯୌନ ଶୋଷଣର ଘଟଣା ଏବେ ମି ଠୁ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିଛି । ଅସଦାଚାରଣର ଶିକାର ହୋଇ ମୁହଁ ଖୋଲିବାକୁ ସାହାସ ପାଉନଥିବା ପୀଡିତ ବା ପୀଡିତା ଏବେ ଏହି ଅଭିଯାନ ମାଧ୍ୟମରେ ମୁହଁ ଖୋଲିବାକୁ ସାହସ ପାଇଛନ୍ତି । ଏହି ଅଭିଯାନକୁ ବିଭିନ୍ନ କ୍ଷେତ୍ରରୁ ଲୋକେ ସମର୍ଥନ ଦେଉଥିବା ବେଳେ କିଛି ମହିଳା ଫିଲ୍ମ ନିର୍ଦ୍ଦେଶିକା ମଧ୍ୟ ସମର୍ଥନ କରୁଛନ୍ତି । ଆଉ ଏହି ଫିଲ୍ମ ନିର୍ଦ୍ଦେଶିକାଙ୍କ ମଧ୍ୟରେ ନନ୍ଦିତା ଦାସ ମଧ୍ୟ ଅନ୍ୟତମ । କିନ୍ତୁ ଏବେ ନନ୍ଦିତା ଦାସଙ୍କ ବାପା ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାମରେ ମି ଠୁ ଅଭିଯାନ ମାଧ୍ୟମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଛି । ନିଶା ବୋରା ନାମକ ମହିଳା ଯତୀନଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନିଶା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଯତୀନ ଦାସଙ୍କ ନାଁରେ ନିଶା ବୋରା ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ସମସ୍ତ କଥା ଲେଖିଛନ୍ତି । ସେ ଲେଖିଛନ୍ତି, ଯତୀନ ଦାସଙ୍କ ସହ ମୋର ଭେଟଘାଟ ୨୦୦୪ ମସିହାରେ ଏକ ଇଭେଣ୍ଟରେ ହୋଇଥିଲା । ମୋର ଶ୍ୱଶୁରଙ୍କ ମାଧ୍ୟମରେ ଦିଲ୍ଲୀରେ ଯତୀନଙ୍କ ସହ ପ୍ରଥମ ଥର ପାଇଁ ଭେଟ ହୋଇଥିଲା । ମୁଁ ତାଙ୍କର ବହୁତ ବଡ ପ୍ରଂଶସକ ଥିଲି । ପ୍ରଥମ ଦେଖାରେ ସେ ମୋତେ ତାଙ୍କର ଆସିଷ୍ଟାଣ୍ଟ ଭାବେ କାମ କରିବାକୁ କହିଥିଲେ । ଯେହେତୁ ମୁଁ ତାଙ୍କର ବଡ ପ୍ରଂଶସକ ଥିଲି ତେଣୁ ଯତୀନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହୋଇଯାଇଥିଲି ।


ପ୍ରଥମ ଥର ପାଇଁ ଆମ ଦୁହିଁଙ୍କ ମଧ୍ୟରେ ଯତୀନଙ୍କ ଘରେ ମିଟିଂ ହୋଇଥିଲା । ସେହି ସମୟରେ ସବୁକିଛି ସାମାନ୍ୟ ଥିଲା । କିନ୍ତୁ ଯେତେବେଳେ ଦ୍ୱିତୀୟ ଥର ପାଇଁ ଯତୀନଙ୍କୁ ଭେଟିବାକୁ ଷ୍ଟୁଡିଓ ଯାଇଥିଲି ସେଠାରେ ଯତୀନ ମୋତେ ଜୋର ଜବରଦସ୍ତ ଚୁମ୍ବନ ଦେବାକୁ ପ୍ରୟାସ କରିଥିଲେ । ଯତୀନଙ୍କ ଷ୍ଟୁଡିଓ ଖିଡକୀ ଗାଁରେ ଥିଲା । ସେଠାରେ ମୁଁ ଭେଟିବାକୁ ଯାଇଥିବା ବେଳେ ମଦ ପିଇବାକ୍ୁ ପ୍ରସ୍ତୁତ ହେଉଥିଲେ ଯତୀନ । ଏପରିକି ସେ ମୋତେ ମଧ୍ୟ ମଦ ପିଇବାକୁ ଅଫର କରିଥିଲେ । ମୁଁ ମଦ ପିଇବାକୁ ମନା କରିବା ପରେ ସେ ମୋତେ ଜାବୁଡି ଧରିବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ମୁଁ ସେଠାରୁ ଚାଲି ଆସିବାକୁ ଚାହିଁବାରୁ ସେ ପୁଣିଥରେ ମୋତେ ଜାବୁଡି ଧରିବାକୁ ଚେଷ୍ଟା କଲେ । ଏପରିକି ସେ ମୋତେ କିସ୍ କରିବାକୁ ମଧ୍ୟ ଚାହୁଁଥିଲେ । ଏପରିକି ତାଙ୍କର ଦାଢି ମୋ ମୁହଁରେ ଲାଗିଥିବାର ମୁଁ ଅନୁଭବ କରିପାରିଲି । ଆଉ ଏହି ସମୟରେ ତାଙ୍କୁ ମୁଁ ହଟାଇବାକୁ ଚେଷ୍ଟା କରିବା ବେଳେ ଯତୀନ କହିଥିଲେ, ଆରେ ରୁହ ତୁମକୁ ଭଲ ଲାଗିବ ।

ଏହାପରେ ତାଙ୍କ ପାଖକୁ ନନ୍ଦିତା ଦାସଙ୍କ ଫୋନ ଆସିଥିଲା । ମୋ ନମ୍ବର ନନ୍ଦିତାଙ୍କୁ ତାଙ୍କ ବାପା ଯତୀନ ଦେଇଥିଲେ । ନନ୍ଦିତା ଫୋନ କରି କହିଥିଲେ, ମୋତେ ଆସିଷ୍ଟାଣ୍ଟଭାବେ ରଖିବାକୁ ସେ ଚାହୁଁଛନ୍ତି । ଏପରିକି ନନ୍ଦିତା ମଧ୍ୟ ମୋର ବେଶ ତାରିଫ କରିଥିଲେ । ଆଉ ଏହା ପଛରେ ମଧ୍ୟ ଯତୀନଙ୍କର ହାତ ରହିଥିଲା । କିନ୍ତୁ ୨୦୦୪ରେ ଘଟିଥିବା ଏହି ଘଟଣା ଏପର୍ଯ୍ୟନ୍ତ ମୋତେ ଅଣନିଶ୍ୱାସୀ କରି ରଖିଛି । ନିଶା କହିଛନ୍ତି ଏହି ଅଭିଯାନ ପାଇଁ ମୁଁ ବହୁତ ଖୁସି । ଏହି ଅଭିଯାନ ହିଁ ମୋତେ ଏ ଘଟଣା ସର୍ମ୍ପକରେ କହିବାକୁ ସାହସ ଦେଇଛି । ତେଣୁ ଆଜି ମୋ ସହିତ ଘଟିଥିବା ଅସଦାଚାରଣ ଘଟଣା ସମସ୍ତଙ୍କ ସାମ୍ନାରେ କହିପାରୁଛି ।

ଏହା ପୂର୍ବରୁ ବଲିଉଡ ଜଗତ ସହ ଜଡିତ ନାନା ପାଟେକର, ସାଜିଦ ଖାନଙ୍କ ନାଁ ମି ଠୁରେ ଆସିବା ପରେ ପୂରା ଦେଶରେ ଚହଳ ପଡିଥିଲା । ଏପରିକି ମୋଦିଙ୍କ ମନ୍ତ୍ରୀ ଏମ.ଜେ ଆକବରଙ୍କ ନାଁ ଏହି ମି ଠୁ ଅଭିଯାନରେ ଆସିବା ପରେ ରାଜନୀତି ମଧ୍ୟ ଜୋର ଧରିଛି ।