ବଜ୍ରପାତ ବିପଦ: ୧୬ଟି ଜିଲ୍ଲା ପାଇଁ ୪ ଘଣ୍ଟିଆ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

49

କନକ ବ୍ୟୁରୋ : ପୁଣି ବଜ୍ରପାତ ଆଲର୍ଟ କରିଛି ପାଣିପାଗ ବିଭାଗ । ଆଜି ଦିନ ୧୨.୩୦ ରୁ ଅପରାହ୍ନ ୪.୩୦ ମଧ୍ୟରେ ରାଜ୍ୟର ୧୬ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ଯ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, କଟକ, ପୁରୀ, ଗଜପତି , ରାୟଗଡା, କୋରାପୁଟ, ସୁନ୍ଦରଗଡ, ଏବଂ ଅନୁଗୁଳ ।

ଗତ ପାଞ୍ଚ ମାସରେ ରାଜ୍ୟରେ ୨୮୦ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ଆଉ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ଯାଇଛି । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ଢେର ଅଧିକ । ବିଶେଷ କରି ମେ’ ମାସରୁ ଅଗଷ୍ଟ ମାସ ଭିତରେ ଏହାର ମାତ୍ରା ଅଧିକ । ଆଉ ବଜ୍ରପାତର କିଛି ପ୍ରମୁଖ କାରଣ ହେଲା- – ମୌସୁମୀର ପ୍ରଭାବ । କାଳ ବୈଶାଖୀର ପ୍ରଭାବ । ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ସୃଷ୍ଟି ହେବା ।

ବନ୍ୟା, ବତ୍ୟା, ବର୍ଷା ଓ ଅଗ୍ନିକାଣ୍ଡକୁ ବଳି ଯାଇଛି ବଜ୍ରପାତ । ବଜ୍ରପାତ ଏବେ ସବୁଠୁ ବଡ ବିପର୍ୟ୍ୟୟ ଭାବରେ ଉଭା ହୋଇଛି । ଆଉ ଏହାର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । କାରଣ ଖୋଜିବାକୁ ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ଯେଉଁ ଦଳରେ ରହିବେ ଆଇଆଇଟିର ବିଶେଷଜ୍ଞ, ବୈଜ୍ଞାନିକ, ପାଣିପାଗ ବିଭାଗର ଅଧିକାରୀ ଏବଂ ଓୟୁଏଟିର କୁଳପତି । ଏହି ଟିମର ଲକ୍ଷ୍ୟ ରହିବ- ବଜ୍ରପାତର କାରଣ ଖୋଜିବା ଏବଂ ସମାଧାନର ବାଟ ବାହାର କରିବା ।

ବ୍ରଜାଘାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସରକାରଙ୍କ ତରଫରୁ ସଚେତନ କରାଯାଉଛି । ତା ସହିତ ଘଡଘଡି ସହ ବର୍ଷା ହେଉଥିବା ସମୟରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଉଛି । ଏଭଳି ସମୟରେ ନିକଟସ୍ଥ କୋଠା ଘର କିମ୍ବା ଅନ୍ୟ କୌଣସି ନିରାପଦ ସ୍ଥାନକୁ ଯିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।