ଉତ୍ତର ଓଡିଶା ଉପକୂଳରେ ଲଘୁଚାପ: ୨ ଦିନ ଯାଏଁ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

57

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । ଭବାନୀପାଟଣାରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଆଜି ସନ୍ଧ୍ୟାରୁ ପୁରୀ, ଗଞ୍ଜାମ, ଖୋର୍ଧା, କଟକ, ମୟୁରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛନ୍ତି । ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବଲାଙ୍ଗୀର, ଝାରୁସୁଗୁଡା, ବରଗଡ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ବର୍ଷା ଆସନ୍ତା ୨ ଦିନ ୨୭ ଓ ୨୮ ତାରିଖରେ ବି ଲାଗି ରହିବ । ଲଘୁଚାପ ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।