ରାଜ୍ୟବାସୀଙ୍କ ପାଇଁ ଖୁସିଖବର : ଉପାନ୍ତ ହେଉକି ଉପକୂଳ, ସ୍ମାର୍ଟଫୋନ ସାହାଯ୍ୟରେ ହୋଇପାରିବ ମାନସିକ ରୋଗୀଙ୍କ ଚିକିତ୍ସା

34

କନକ ବ୍ୟୁରୋ : ରାଜ୍ୟରେ ଏବେ ସ୍ମାର୍ଟଫୋନ ଜରିଆରେ ହୋଇପାରିବ ମାନସିକ ରୋଗୀଙ୍କ ଚିକିତ୍ସା । ରାଜ୍ୟର ଯେକୌଣସି ସ୍ଥାନ, ଉପାନ୍ତ ହେଉକି ଉପକୂଳ ଅତି ସହଜରେ ମାନସିକ ରୋଗୀ ଚିକିତ୍ସିତ ହୋଇପାରିବେ ।  ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବାକୁ ଯାଉଛନ୍ତି ରାଜ୍ୟସରକାର। ଯାହାକି ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ଏ ସଂପର୍କରେ ୧୦ତାରିଖ ଦିନ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ବେଙ୍ଗାଲୁରର ନିମାନ୍ସ ସହ ଚୁକ୍ତି ହେବ । ଯେଉଁଥିରେ ଏସ୍‌ସିବି ଉତ୍କୃଷ୍ଟ ମାନସିକ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଯୋଡି ହେବେ ସାରା ରାଜ୍ୟର ଡାକ୍ତର । ଭରଚୁଆଲ ନଲେଜ୍‌ ନେଟ୍‌ଓ୍ଵାର୍କ (ଭିକେଏନ୍‌) ମାଧ୍ୟମରେ ମିଳିବ ଏଭଳି ଚିକିତ୍ସା ସୁବିଧା ବୋଲି ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ସଚିବାଳୟରେ ଅନୁଷ୍ଠିତ ହେବାକୁଥିବା ଏମ୍‌ଓୟୁ ଚୁକ୍ତି ସ୍ୱାକ୍ଷର ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଚଢାଙ୍କ ସମେତ ନିମାନ୍ସର ପ୍ରତିନିଧିମଣ୍ଡଳୀ ଉପସ୍ଥିତ ରହିବେ । ଉକ୍ତ ଦିନ ମଧ୍ୟ ରାଜ୍ୟସ ରକାର ନିଶାଗ୍ରସ୍ତମାନଙ୍କ ମାନସିକ ଚିକିତ୍ସା ପାଇଁ ଏମ୍ସ ସହ ଚୁକ୍ତିନାମା କରିବେ ।

ବର୍ତ୍ତମାନ ସ୍ଥିତିରେ ମାନସିକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏଭଳି ଯୋଜନା କରାଯାଇଛି । ୭୦/୮୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଚିକିତ୍ସା ସୁବିଧା ପାଇଁ ରାଜ୍ୟସରକାର ୧ବର୍ଷ ପାଇଁ ଚୁକ୍ତି କରିଛନ୍ତି । ୧ବର୍ଷ ପରେ ନିମାନ୍ସ ଏଥିରୁ ବାହାରିଯିବ ଓ ହବ୍‌ ଏଣ୍ଡ ସ୍ପୋକ୍‌ ମାଧ୍ୟମରେ ଯୋଗାଇଦିଆଯିବ ଚିକିତ୍ସା। ଏଥିରେ ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ର ହେବ ହବ୍‌ ଓ ପ୍ରତି ଜିଲ୍ଲା ହେବେ ସ୍ପୋକ୍‌। ପ୍ରତିଦିନ ଓ ପ୍ରତି ସମୟରେ ମିଳି ପାରିବ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା । ଏଥିରେ ପ୍ରତି ଜିଲ୍ଲାରେ ଥିବା ମାନସିକ ରୋଗୀଙ୍କ ଚିକିତ୍ସା ସଂପର୍କରେ ଓ କଣ ଚିକିତ୍ସା ପଦ୍ଧତି ଦରକାର ସେ ସଂପର୍କରେ ତଥ୍ୟ ମିଳି ପାରିବ । ସମସ୍ତଙ୍କୁ ଆଉ ଏସ୍‌ସିବି ମାନସିକ କେନ୍ଦ୍ରକୁ ଆସିବାକୁ ପଡିବ ନାହିଁ। ସେହି ଜିଲ୍ଲାରେ ଥାଇ ଜଣେ ରୋଗୀ ଉନ୍ନତମାନର ମାନସିକ ଚିକିତ୍ସା ପାଇପାରିବ । ଏଭଳି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ରର ଡାଇରେକ୍ଟର ପ୍ରଫେସର ସ୍ୱାଇଁଙ୍କ ସହ ନିମାନ୍ସର ଓଡିଆ ପ୍ରଫେସର ଡାକ୍ତର ପ୍ରଭାତ ଚାନ୍ଦ ସହଯୋଗ କରୁଛନ୍ତି ।