ଅଷ୍ଟ୍ରେଲିଆର ହ୍ୟାଟ୍ରିକ୍ ସ୍ବପ୍ନ ଅଧୁରା, ଇଂଲଣ୍ଡକୁ ବିଦା କଲା ବେଲଜିୟମ୍: ଆଜି ଦୁଇ ୟୁରୋପୀୟ ଦେଶଙ୍କ ଲଢେଇରେ କମ୍ପିବ କଳିଙ୍ଗ କୁରୁକ୍ଷେତ୍ର

ମୁହାଁମୁହିଁ ହେବେ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ୍ ଓ ଗତଥରର ବିଶ୍ୱକପ୍ ରନରଅପ୍ ନେଦରଲ୍ୟାଣ୍ଡ

107

କନକ ବ୍ୟୁରୋ:  ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଆଜି ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ୍ ଏବଂ ଗତ ବିଶ୍ବକପ୍ ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍ ମଧ୍ୟରେ ଖେଳାଯିବ। ତିନି ଥର ବିଜେତା ତଥା ଗତ ଦୁଇ ଥର ମୁକୁଟଧାରୀ ଅଷ୍ଟ୍ରେଲିଆର ହ୍ୟାଟ୍ରିକ୍ ବିଶ୍ବକପ୍ ସ୍ବପ୍ନ ମଧ୍ୟ ଭୁବନେଶ୍ବରରେ ଅଟକିଯାଇଛି। ଏହି କୁକାବୁରା ଦଳକୁ ସଡନ୍ ଡେଥରେ ୬-୫ (୨-୨)ରେ ହରାଇ ୩ ଥର ବିଜେତା ନେଦରଲାଣ୍ଡ୍ ନିଜର ଚତୁର୍ଥ ବିଶ୍ବ ମୁକୁଟଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। ଏକମାତ୍ର ଦେଶ ଭାବେ ସର୍ବାଧିକ ୪ ଥର ବିଜୟର କୀର୍ତିମାନ ଏବେ ପାକିସ୍ତାନ ନାମରେ ରହିଛି। ପୂର୍ବରୁ ପ୍ରଥମ ସେମିଫାଇନାଲରେ ବେଲଜିୟମ୍ ୬-୦ରେ ଇଂଲଣ୍ଡକୁ ହରାଇ ଦେଇଥିଲା। ଆଜି ଅପରାହ୍ନ ୪ଟା ୩୦ରେ କାଂସ୍ୟ ପଦକ ପାଇଁ ଇଂଲଣ୍ଡ-ଅଷ୍ଟ୍ରେଲିଆ ଲଢିବେ। ତେବେ ରାତି ୭ଟାରେ ବେଲ୍ଜିୟମ୍-ନେଦରଲାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହେବ।

ଶନିବାରର ଦ୍ବିତୀୟ ସେମିଫାଇନାଲ କଳିଙ୍ଗ ପ୍ରଶଂସକଙ୍କ ପଇସା ଅସୁଲ କରି ଦେଇଥିଲା। ଏହି ମ୍ୟାଚ୍ ଅନେକ ରୋମାଞ୍ଚ ଏବଂ ଉତ୍କଣ୍ଠାର ଅନେକ ମୁହୂର୍ତ ଆଣିଥିଲା। ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ବେଲଜିୟମର ଏକତରଫା ବିଜୟ ମାନ୍ଦା ପରିବେଶ ସୃଷ୍ଟି କରିଥିଲା। ସଂଧ୍ୟା କିନ୍ତୁ ଥିଲା ନେଦରଲାଣ୍ଡ୍ ହକିର। ଯେଉଁ ଦେଶରେ ହକି ବେଶ ସମୃଦ୍ଧ ଏବଂ ଫୁଟ୍ବଲ୍ ପରେ ଦ୍ବିତୀୟ ଲୋକପ୍ରିୟ ଖେଳ। ନିୟମିତ ସମୟ ଏବଂ ସୁଟଆଉଟ୍ ବେଳେ ବିଜୟ ଛଡ଼ାଇ ନେବାର ଧମକ ଦେଇଥିଲେ ବି ଅଷ୍ଟ୍ରେଲିଆ ଏଥିରେ ସଫଳ ହୋଇନଥିଲା। ନିୟମିତ ସମୟରେ ମ୍ୟାଚ୍ ଏକଦା ୨-୨, ସୁଟଆଉଟ୍ ବେଳେ ୩-୩ରେ ଶେଷ ହୋଇଥିଲା। ସଡନ୍ ଡେଥ୍ରେ ଜୋରୋନ୍ ହର୍ଟବର୍ଜରଙ୍କ ଗୋଲ୍ ବଳରେ ନେଦରଲାଣ୍ଡ୍ ଆଗୁଆ ରହିଥିଲା। କୁକାବୁରାଙ୍କ ପାଇଁ ଆସିଥିବା ଅଭିଜ୍ଞ ଡାନିଏଲ୍ ବିଲଙ୍କ ଚତୁରତାକୁ ନେଦରଲାଣ୍ଡ୍ ଗୋଲରକ୍ଷକ ପର୍ମିନ ବ୍ଲାକ ନିଷ୍ଫଳ କରି ଦେଇଥିଲେ। ଏଥି ସହିତ ନେଦରଲାଣ୍ଡ୍ ଖେଳାଳି ବିଜୟ ଉତ୍ସବରେ ଏବଂ ଅଷ୍ଟ୍ରେଲିଆ ଖେଳାଳି ଦୁଃଖରେ କାନ୍ଦି ପକାଇଥିଲେ।

୨୦୧୦ ଏବଂ ୨୦୧୪ରେ ଯଥାକ୍ରମେ ନୂଆଦିଲ୍ଲୀ ଏବଂ ଦି ହଗରେ ଟ୍ରଫି ଜିତିଥିବା କୁକାବୁରା ବାହିନୀ ମ୍ରିୟମାଣ ହୋଇପଡ଼ିଥିଲେ। ଏହି ମ୍ୟାଚର ନିୟମିତ ସମୟରେ ୪୫ତମ ମିନିଟ୍ ପର‌୍ୟ୍ୟନ୍ତ ନେଦରଲାଣ୍ଡ୍ ୨-୦ରେ ଆଗୁଆ ରହିଥିଲା। ନବମ ମିନିଟରେ ଗ୍ଲେନ ସୁମରମ୍ୟାନ, ୨୦ତମ ମିନିଟରେ ସିଭ୍ ଭାନ୍ ଆସ୍ ଚମତ୍କାର ଭାବେ ଦୁଇଟି ଫିଲଡ୍ ଗୋଲ୍ ଦେଇଥିଲେ। ଅଷ୍ଟ୍ରେଲିଆ କିନ୍ତୁ ଶେଷ ଦୁଇ କ୍ବାର୍ଟରରେ ନେଦରଲାଣ୍ଡର ଏକାଧିକ ପେନାଲଟି କର୍ନରକୁ ବେକାର କରିବା ସହିତ ଗୋଲ୍ ସୁଯୋଗ ଆଣିଥିଲା। ୪୫ତମ ମିନିଟରେ ଦଳର ପ୍ରଥମ ପେନାଲଟି କର୍ନରକୁ ଟିମ୍ ହୋୱାର୍ଡ ଗୋଲ୍ରେ ପରିଣତ କରିଥିଲେ। ତଥାପି ପରାଜୟ ମୁହଁରେ ରହିଥିଲା ଅଷ୍ଟ୍ରେଲିଆ। ତେବେ ଶେଷ ମିନିଟରେ (ମାତ୍ର ୨୭ ସେକେଣ୍ଡ୍ ପୂର୍ବରୁ) ଅଧିନାୟକ ଏଡି ଓକେନଡେନ୍ଙ୍କ ଫିଲଡ୍ ଗୋଲ ମ୍ୟାଚ୍କୁ ଅମୀମାଂସିତ କରି ଦେଇଥିଲା। ପେନାଲଟି ସୁଟ୍ଆଉଟ୍ ବେଳେ ଅଷ୍ଟ୍ରେଲିଆ (୦, x, x, ୦, x) ଏବଂ ନେଦରଲାଣ୍ଡ୍ ଖେଳାଳି (x, ୦, ୦, x, x) ସମାନ ଭାବେ ୩-୩ରେ ଅଭିଯାନ ଶେଷ କରିଥିଲେ। ଫଳରେ ମ୍ୟାଚ୍ ସଡନ୍ ଡେଥ୍କୁ ଯାଇଥିଲା। ଯେଉଁଟି ପ୍ରଥମ ସଡନ୍ ଡେଥ୍ରେ ହିଁ ନିର୍ଣ୍ଣାୟକ ହୋଇଥିଲା। ନେଦରଲାଣ୍ଡକୁ ବିଜୟୀ କରାଇଥିବା ଗୋଲରକ୍ଷକ ପିର୍ମିନ ବ୍ଲାକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଇମତିଆଜ ଅଲୀ ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିଥି ଥିଲେ।

ପୂର୍ବରୁ ପ୍ରଥମ ସେମିଫାଇନାଲରେ ବେଲଜିୟମ୍ ୬-୦ ଗୋଲରେ ଇଂଲଣ୍ଡକୁ ଦିଗହରା କରି ଦେଇଥିଲା । ବେଲଜିୟମ୍ ପ୍ରଥମ ଦୁଇ କ୍ବାର୍ଟରରେ ଗୋଟିଏ ଲେଖାଏଁ ଏବଂ ପରବର୍ତୀ ୨ କ୍ବାର୍ଟରରେ ୨ ଲେଖାଏଁ ଗୋଲ୍ ଦେଇଥିଲା। ତିନୋଟି ପେନାଲଟି କର୍ନରରୁ ଏବଂ ୩ଟି ଫିଲଡ୍ ଗୋଲ୍ ପ୍ରଶଂସକ ଦେଖିଥିଲେ ଚଳିତ ବିଶ୍ବକପ୍ର ଏହି ପ୍ରଥମ ଦିନବେଳା ମ୍ୟାଚରେ। ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ ଏକା ଦୁଇଟି ପେନାଲଟି କର୍ନର ରୂପାନ୍ତର (୪୫ ଏବଂ ୫୦ ମିନିଟ) କରି ମୋଟ ୭ ଗୋଲ୍ ସହ ଶୀର୍ଷକୁ ଉଠିଯାଇଥିଲେ। ଟମ୍ ବୁନ୍ (୮ ମିନିଟ), ସାଇମନ୍ ଗଙ୍ଗନାର୍ଡ (୧୯ ମନିଟ), ସେଡ୍ରିକ ଚାର୍ଲିୟର, ସେବାସ୍ତିଏଁ ଡକିୟର (୫୩ ମିନିଟ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ବୁନ୍ କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚରେ ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ଏବଂ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ପ୍ରବୀଣ କୁମାର ଭଞ୍ଜଦେଓ ଅତିଥି ଭାବେ ଯୋଗ ଦେଇଥିଲେ।