ଆସନ୍ତାକାଲି ଠାରୁ ଆରମ୍ଭ ହେବ ଓଡିଶା ପୁରୁଷ ହକି ବିଶ୍ୱ ଲିଗ୍ -୨୦୧୭ : ଟ୍ରାଫିକ ନିୟନ୍ତ୍ରଣ ଓ ଦର୍ଶକଙ୍କ ସୁବିଧା ନିମନ୍ତେ ଆଡଭାଇଜରୀ ଜାରିକଲା କମିଶନରେଟ ପୋଲିସ

67

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ପୁରୁଷ ହକି ବିଶ୍ୱ ଲିଗ୍ । ଏଥିପାଇଁ ସମସ୍ତପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣକରିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡିଶା ହକି ବିଶ୍ୱ ଲିଗ -୨୦୧୭ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏହି ଦିନ ମାନଙ୍କରେ ଟ୍ରାଫିକ ନିୟମ କିଭଳି ପାଳନ କରିବେ ତା ଉପରେ ଉପଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଡିସେମ୍ବର ୧ତାରିଖ ଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ହକି ମ୍ୟାଚ ଦେଖିବା ପାଇଁ ବହୁଲୋକ ଓ ଗାଡିମୋଟର କଳିଙ୍ଗ ଷ୍ଟାଡିୟମ ଆଡକୁ ଆସିବ । ଲୋକମାନଙ୍କ ସୁବିଧା ପାଇଁ ଓ ଯାନବାହାନଗୁଡିକର ଯାତାୟତକୁ ସୁନିୟନ୍ତ୍ରଣଳରିବା ପାଇଁ ପଦକ୍ଷେପ ନିଆଯାଇଛି ।

ଯାନବାହାନ ପାସ ନଥିବା କୌଣସି ଯାନବାହାନକୁ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ନାହିଁ । ପାସ ଥିବା ସେବା ପ୍ରଦାନ ଗାଡିଗୁଡିକ ଗେଟନଂ-୨ ଓ ପାସ ଥିବା ଗଣମାଧ୍ୟମ ଗାଡିଗୁଡିକ ଗେଟ ନଂ-୯ରେ ପ୍ରବେଶ କରିପାରିବେ । ସେହିପରି ବ୍ୟକ୍ତିଙ୍କ ସହ ଗାଡି ପାସ ରଖିଥିବା ଲୋକମାନେ ଗେଟ ନଂ-୯ଦ୍ୱାର ଦେଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ । ସେହିପରି ଏଥର ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । କେବଳ ଦୁଇ ଚକିଆ ଗାଡି ୧ ନମ୍ବର ଗେଟ ନିକଟରେ ବେହେରା ସାହି ପାର୍କିଂ କରିପାରିବେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ଶିକ୍ଷାନୁଷ୍ଠାନ ପଡିଆ ଓ ନୟାପଲ୍ଲୀ ରାବଣ ପୋଡି ପଡିଆରେ ଓ ନିକୋ ପାର୍କ ରୋଡରେ ସମସ୍ତପ୍ରକାର ଗାଡି ପାର୍କିଂର ବ୍ୟବସ୍ଥା କରାଯାଇଛି ।

ନନ୍ଦନକାନନ ପଟୁ ଗାଡିମୋଟରରେ ପାସ ବା ଟିକେଟଧାରୀ ବ୍ୟକ୍ତି ସେମାନଙ୍କ ଗାଡିମୋଟର ବେହେରା ସାହି ପାର୍କିଂସ୍ଥଳରେ ଗାଡି ରଖିପାରିବେ । ଖଣ୍ଡଗିରି ପଟୁ ବା ଏନଏଚ୧୬ରେ କଟକରୁ ଆସୁଥିବା ପାସ ବା ଟିକେଟ ଧାରୀ ଆଂଚଳିକ ଶିକ୍ଷାନୁଷ୍ଠାନ ପଡିଆରେ ଗାଡି ରଖି ଆଚାର୍ଯ୍ୟବିହାର ଦେଇ କଳିଙ୍ଗ ଷ୍ଟାଡିୟମକୁ ଯାଇପାରିବେ । ଯାନବାହାନ ପାସ ନଥାଇ ନିମନ୍ତ୍ରିତ ଅତିଥି ଯେକୌଣସି ଦିଗରୁ ଆସି ଏନଏଚ-୧୬କୁଯାଇ ଗେଟ ନଂ -୯ ଦେଇ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିପାରିବେ ।

ସାଧାରଣଙ୍କ ଅବଗତି ନିମନ୍ତେ ବିଶେଷ ଧ୍ୟାନ ଦେଇଛି କମିଶନରେଟ ପୋଲିସ । ବିନା ପାସ, ଟିକେଟ ବା ଆକ୍ରେସିସନ କାର୍ଡ ବିନା କୌଣସି ବ୍ୟକ୍ତି କଳିଙ୍ଗ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିପାରିବେ । ସେମାନଙ୍କ ଟିକେଟ ଯାଂଚ କଲା ପରେ ସେମାନଙ୍କୁ ସ୍ୱତନ୍ତ୍ର ଗେଟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ବିନା ପାସରେ କୌଣସି ଗାଡି କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

ପାସ କିମ୍ବା ଟିକେଟଧାରୀ ବ୍ୟକ୍ତି କୌଣସି ଆପତ୍ତିଜନକ ସାମଗ୍ରୀ ଯଥା ଦିଆସିଲି, ପାଣି ବୋତଲ, କାଟିବା ଯନ୍ତ୍ର ଇତ୍ୟାଦି ସାଙ୍ଗରେ ନେଇଯିବା ଉପରେ କଟକଣା ଜାରି କରିଛି କମିଶନରେଟ ପୋଲିସ । ଆକ୍ରିଡେସନ କାର୍ଡ ବା ପାସ ବା ଟିକେଟଧାରୀ ବ୍ୟକ୍ତିମାନେ ସୁବିଧାରେ ଯାଂଚ ଏବଂ ଚିହ୍ନଟ ସକାଶେ ସେମାନଙ୍କର ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଇତ୍ୟାଦି ଆଣିବା ପାଇଁ କମିଶନରେଟ ପୋଲିସ ନିର୍ଦେଶନାମା ଜାରିକରିଛି । ପାସନଥିବା ଗାଡିମୋଟରକୁ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ପାର୍କିଂ ପାଇଁ ଅନୁମତି ଦିଆଯିବ ନାହିଁ ।