ଯାତ୍ରୀ ଭିଡକୁ ଏଡାଇବାକୁ ଗଡ଼ିଲା ବ୍ରହ୍ମପୁର-କଟକ ମେମୁ ଟ୍ରେନ ! ସପ୍ତାହ ୬ ଦିନ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ୍

48

କନକ ବ୍ୟୁରୋ : ବ୍ରହ୍ମପୁର ଓ କଟକ ମଧ୍ୟରେ ଆଜି ଗଡିଛି ସ୍ୱତନ୍ତ୍ର ମେମୁ ଟ୍ରେନ୍ । ଅଧିକ ସଂଖ୍ୟାରେ ଯାତ୍ରୀଙ୍କ ପାଇଁ ବସିବା ସୁବିଧା ଏବଂ ବାୟୋ ଟଏଲେଟ୍ ଭଳି ବ୍ୟବସ୍ଥା ରହିଛି ଏହି ସ୍ୱତନ୍ତ୍ର ଟ୍ରେନରେ । ହାଇସ୍ପିଡ୍ ଓ ସ୍ପିଡ୍ ଟେକିଂ ପାଇଁ ପ୍ରଥମ ଦିନରୁ ଲୋକେ ମେମୁ ଟ୍ରେନକୁ ପସନ୍ଦ କରିଛନ୍ତି । ସେପଟେ ମେମୁ ପରେ ଓଡିଶାରୁ କେବେ ମେଟ୍ରୋ ଟ୍ରେନ୍ ଚାଲିବ ସେନେଇ ଉଠିଛି ପ୍ରଶ୍ନ ।

ବ୍ରହ୍ମପୁରରୁ କଟକ, ବଢିଚାଲିଥିବା ଯାତ୍ରୀ ଭିଡ କମାଇବାକୁ ଗଡିଛି ମେମୁ ଟ୍ରେନ୍ । ଦୁଇଟି ଇଂଜିନ୍ ଓ ୧୨ଟି ସ୍ୱତନ୍ତ୍ର କୋଚ୍ ସହ ଟ୍ରେନର ପ୍ରତି କୋଚରେ ରହିଛି ୮୦ ଜଣଙ୍କ ପାଇଁ ବସିବା ବ୍ୟବସ୍ଥା । ଉପରେ ଲାଗିଛି ମୁମ୍ବାଇର ଲୋକାଲ ଟ୍ରେନ ଭଳି ହ୍ୟାଣ୍ଡଲ । ଫଳରେ ଅଧିକ ସଂଖ୍ୟାରେ ଯାତ୍ରୀ ଯାଇପାରିବେ । ସାଧାରଣ ଟ୍ରେନଠାରୁ ଅଧିକ ସ୍ପିଡ୍, ଷ୍ଟେସନରେ କମ୍ ସମୟର ରହଣି ଓ ସ୍ପିଡ୍ ଟେକିଂ ବ୍ୟବସ୍ଥା ରହିଛି ମେମୁରେ । ଏଥିସହ ଯାତ୍ରୀଙ୍କ ପାଇଁ ରହିଛି ବାୟୋ ଟଏଲେଟ୍ର ସୁବିଧା ।

ମେମୁ ଟ୍ରେନ୍ ପ୍ରତିଦିନ ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡିବ । କଟକରେ ପହଁଚିବ ୧୧ଟା ୧୫ରେ । ସନ୍ଧ୍ୟା ୫ଟା ୩୦ରେ ପୁଣି କଟକରୁ ଛାଡି, ବ୍ରହ୍ମପୁରରେ ପହଁଚିବ ରାତି ୯ଟା ୨୫ରେ । ସପ୍ତାହକୁ ୬ ଦିନର ଯାତ୍ରା । ଅଳ୍ପ ସମୟ ଏବଂ ଆରାମ ଦାୟକ ଯାତ୍ରା ପାଇଁ ପ୍ରଥମ ଦିନରୁ ଯାତ୍ରୀଙ୍କ ପସନ୍ଦ ପାଲଟିଛି ମେମୁ ଟ୍ରେନ୍ ।

କେବେ ଚାଲିବ ମେଟ୍ରୋ ଟ୍ରେନ୍?

ମେମୁ ଚାଲିବା ପରେ ଏବେ ଅପେକ୍ଷା ମେଟ୍ରୋକୁ । ଓଡିଶାବାସୀଙ୍କୁ କେବେ ମିଳିବ ମେଟ୍ରୋ ସେବା । ଅର୍ବାନ ଟାଉନ ପ୍ଲାନରଙ୍କ କହିବା କଥା, ବର୍ତମାନ ପାଇଁ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରରେ ମେଟ୍ରୋ ନୁହେଁ ଲାଇଟ୍ ମେଟ୍ରୋ ଚଳାଇବା ପାଇଁ ପଦକ୍ଷେପ ନେବା ଉଚିତ ।

ମେମୁ ଟ୍ରେନ କଣ ?

ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ମେମୁ ଟ୍ରେନ କ୍ଷୀପ୍ର ଗତିରେ ଯାତ୍ରା କରିଥାଏ । ଏହି ଟ୍ରେନ ଷ୍ଟେସନରେ ଜଲଦି ବନ୍ଦ ଓ ଓ ଜଲଦି ଆରମ୍ଭ ହେବାର କ୍ଷମତା ରଖିଥାଏ । ଟ୍ରେନର ବଗିରେ ଯାତ୍ରୀଙ୍କ ପାଇଁ ଅଧିକ ଆସନର ବ୍ୟବସ୍ଥା ରହିଛି । ଟ୍ରେନରେ ଉତ୍ତମ ଶୌଚାଳୟ ବି ଅଛି । ମେମୁ ଟ୍ରେନର ମଧ୍ୟଭାଗରେ ଇଞ୍ଜନ ଥିବାରୁ ଇଞ୍ଜନ ପରିବର୍ତନର ଆବଶ୍ୟକତା ପଡେ ନାହିଁ । ମେମୁ ଟ୍ରେନ କପୁରଥାଲା ରେଳ କୋଚ ଫ୍ୟାକ୍ଟ୍ରିରେ ସଂପୂର୍ଣ୍ଣ ଭାବେ ନୂଆ କରି ନିର୍ମାଣ କରାଯାଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରୁ ଛଡିଶଗଡ ରାୟପୁରକୁ ଉଡିଲା ପ୍ରଥମ ଏୟାର ଓଡିଶା ଫ୍ଲାଇଟ । ଆଜି ସକାଳ ୭ଟା ୧୩ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏୟାର ଓଡିଶା ବିମାନ ରାୟପୁର ଅଭିମୁଖେ ବାହାରିଥିିଲା । ଭୁବନେଶ୍ୱରରୁ ମାତ୍ର ୪୫ ମିନିଟ ଭିତରେ ରାୟପୁର ପହଂଚିଥିଲା ବିମାନ । ସପ୍ତାହକୁ ଏୟାର ଓଡିଶା ବିମାନ ୬ଦିନ ଯାତ୍ରା କରିବ । ଏଥିରେ ଏକାଥରକେ ୯ଜଣ ଯାତ୍ରୀଙ୍କ ସହ ୩ଜଣ କର୍ମଚାରୀ ଯାତ୍ରା କରିପାରିବେ । ଏବଂ ଟିକଟର ମୂଲ୍ୟ ୪୫ଶହ ଟଙ୍କାରୁ ଆରମ୍ଭ ହେଉଛି । ବ୍ୟବସାୟ ବୃଦ୍ଧି ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ଏୟାର ଓଡିଶା ସହ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରତ୍ୟେକ ଦିନ ୪୪ଟି ବିମାନ ଉଡାଣ ଭରୁଛି ।