ପଂଚାୟତ ପାଇଁ ପ୍ୟାଚ୍ ! କଳିକୁ ପଛରେ ପକାଇ ଆଗକୁ ବଢିଲା କଂଗ୍ରେସ୍ 

30

କନକ ବ୍ୟୁରୋ : ପଂଚାୟତ ଲଢେଇ ପାଇଁ ଏକାଠି ହେଲା କଂଗ୍ରେସ । ଦୀର୍ଘଦିନର ଅନ୍ତଦ୍ୱର୍ନ୍ଦ୍ୱ ଭିତରେ ଆଜି ପ୍ରଦେଶ କଂଗ୍ରେସ କମିଟିର ପଂଚାୟତ ପ୍ରସ୍ତୁତି ବୈଠକରେ ପ୍ରାୟ ସବୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଏବଂ ପଂଚାୟତ ନିର୍ବାଚନ ଏକାଠି ହୋଇ ଲଢିବେ ବୋଲି କହିଛନ୍ତି ।

ଉଭୟ ବିଜେଡି ଓ ବିଜେପିକୁ ଚ୍ୟାଲେଂଜ୍ ଦେବାକୁ ତିଆରି କରୁଛନ୍ତି ରୋଡମ୍ୟାପ୍ । ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ମାରିଛନ୍ତି ମୋହର । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଓ ରାଜ୍ୟ ସରକାରଙ୍କ ୧୭ ବର୍ଷର ଅପାରଗତାକୁ ଆଧାର କରି ନିର୍ବାଚନ ମୈଦାନକୁ ଓହ୍ଲାଇବ କଂଗ୍ରେସ ।

କିଛି ଦିନରୁ କଂଗ୍ରେସ ଶିବିରରେ ଫାଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ ଥିବା ବିବାଦ ଦାଣ୍ଡରେ ପଡି ହାଟରେ ଗଡିଥିଲା । ରାଜ୍ୟ କଂଗ୍ରେସର ପ୍ରମୁଖ ନେତାଙ୍କ ଆଚରଣ ଓ ଉଚାରଣରେ ଫରକ ସ୍ପଷ୍ଟ ବାରି ହୋଇପଡୁଥିଲା । କିନ୍ତୁୁ ଏବେ ସମସ୍ତେ ଗୋଟିଏ ମଂଚରେ ବସିବା କଣ ଇଙ୍ଗିତ କରୁଛି ? ବିବାଦର ଅନ୍ତ ହେଲା ନା କେବଳ ପଂଚାୟତ ନିର୍ବାଚନ ପାଇଁ ପ୍ୟାଚ୍ ପଡିଲା ।

ଡେରିରେ ହେଲେ ମଧ୍ୟ ରାଜ୍ୟ କଂଗ୍ରେସ ନେତା ପଂଚାୟତ ବୈତରଣୀ ପାର ହେବା ପାଇଁ ଏକ ହୋଇଛନ୍ତି । ତେବେ ଏହି ଏକତା କେବଳ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ନା ଆଗକୁ ଜାରି ରହିବ ଏହା ଏକ ବଡ ପ୍ରଶ୍ନ ।