ନିଖୋଜ ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ମାଓବାଦୀ ଅପହରଣ ଖବର ! ଟ୍ୱିଟ କରି ଓଡିଶା ସରକାରଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

46

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲ ଅଜିଜଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନେଇ ଖବର ପରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ । ତୁରନ୍ତ ତାଙ୍କ ପତା ଲଗାଇବା ପାଇଁ ଓଡିଶା ସରକାରଙ୍କୁ ଅପିଲ କରି ଟ୍ୱିଟ କରିଛନ୍ତି ମେହବୁବା ମୁଫତି । ସିପିଆଇ ମାଓବାଦୀ, ସୋହେଲଙ୍କୁ ଅପହରଣ କରିଥିବା ନେଇ ଏକ ମାଓ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ଯେ, ମାଓନେତା ସବ୍ୟସାଚୀଙ୍କୁ ନଛାଡ଼ିଲେ, ଅପହୃତ ଛାତ୍ରଙ୍କୁ ହତ୍ୟା କରାଯିବ । ଭୁବନେଶ୍ୱର ଏମ୍ସର ଛାତ୍ର ସୋହେଲଙ୍କ ନିଖୋଜ୍ ଘଟଣା ଉପରୁ ପରଦା ଉଠିନଥିବା ବେଳେ, ଏହି ପୋଷ୍ଟର ଡାକ୍ତରୀ ଛାତ୍ରଙ୍କ ନିଖୋଜ୍ ଘଟଣାକୁ ଏକ ଭିନ୍ନ ମୋଡରେ ପହଂଚାଇ ଦେଇଛି ।

ତେବେ ପୋଷ୍ଟର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି-ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା । ପୁଲିସକୁ ବାଟବଣା କରିବା ଉଦ୍ଦେଶ୍ୟରେ କେହି ଏଭଳି ଉଦ୍ୟମ କରୁଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା । କାରଣ ଚିଠିଟି ସିପିଆଇ ମାଓବାଦୀଙ୍କ ଅଫିସିଆଲ ପ୍ୟାଡରେ ଲେଖା ହେବା ପରିବର୍ତ୍ତେ, ସାଧା କାଗଜରେ ଲେଖା ଯାଇଛି । ଯେଉଁ ସୋହେଲଙ୍କୁ ୩ଟି ରାଜ୍ୟର ପୁଲିସ୍ ଖୋଜୁଛି । ଆତଙ୍କୀ ଲିଙ୍କ୍ ସନ୍ଦେହର ଆଶଙ୍କା ଥିବାରୁ ଏନ୍ଆଇଏ ନଜର ରଖିଛି । ସେହି ସୋହେଲଙ୍କୁ କେମିତି ଅପହରଣ କଲେ ମାଓବାଦୀ ତାହା ହିଁ ବଡ ପ୍ରଶ୍ନ ହୋଇଛି ।