ପାକିସ୍ତାନର ପକ୍ଷ ନେଲେ ମେହବୁବା ମୁଫତି ! କହିଲେ, ଇମ୍ରାନ୍ ଖାନଙ୍କୁ ଆଉ ଏକ ମଉକା ମିଳିବା ଦରକାର

1,100

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ଘଟଣାରେ ଭାରତବାସୀ ମର୍ମାହତ । ୪୦ ବୀରପୁତ୍ରକୁ ହରାଇଛି ମାଟିମା’ । ଲୋକଙ୍କ ମନରେ ଗଭୀର ରେଖାପାତ କରିଛି ଏହି ଦୁର୍ଘଟଣା । ରାଜନେତା, ଅଭିନେତା, ଜନତାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ମଧ୍ୟ ଘଟଣା ପାଇଁ ବେଶ ଦୁଃଖରେ ଅଛନ୍ତି । ଏକ ଅବ୍ୟକ୍ତ ବେଦନାରେ ଜୀବନ କାଟୁଛନ୍ତି ଦେଶବାସୀ । ପାକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚାରିଆଡ଼େ ନାରା ଦିଆଯାଉଛି ।

ଭାରତ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ପରେ ଆଜି ଏ ସମ୍ପର୍କରେ ସଫେଇ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସେ କହିଛନ୍ତି ବିନା କୌଣସି ପ୍ରମାଣରେ ପାକିସ୍ତାନକୁ ଦାୟୀ କରିବା ଅମୂଳକ । ଭାରତ ପାଖରେ ଯଦି ପାକ୍ ବିରୋଧରେ କୌଣସି ପ୍ରମାଣ ଥାଏ, ତେବେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଉ ଏହାର ଜବାବରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି ଇମ୍ରାନ ଖାନଙ୍କୁ ଆଉ ଏକ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଭାରତ ଅନେକ ଥର ପାକିସ୍ତାନକୁ ଆତଙ୍କବାଦୀ ଆକ୍ରମଣ ପରେ ଅନେକ ପ୍ରମାଣ ଦେଇସାରିଛି । ଉରି ଠାରୁ ଆରମ୍ଭ କରି ପଠାନ କୋଟ ଆକ୍ରମ ନେଇ ପ୍ରମାଣ ଦେଇଛି ଭାରତ । କିନ୍ତୁ ପାକିସ୍ତାନ ଥରେ ମଧ୍ୟ ଆତଙ୍କବାଦୀଙ୍କ ବରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ବରଂ ଆତଙ୍କବାଦୀଙ୍କୁ ନିଜ ଦେଶରେ ଜାଗା ଦେଇ ଆତଙ୍କବାଦକୁ ପ୍ରଶୟ ଦେଉଛି ।