ଭାଙ୍ଗିଲା ମେଣ୍ଟ ବଢ଼ିଲା ରାଜନୀତି ! ବିଜେପିକୁ ଟ୍ୱିଟରରେ ସମାଲୋଚନା କଲେ ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।

27

ଜାମ୍ମୁ-କାଶ୍ମୀର ପିଡିପି ଓ ବିଜେପି ମଧ୍ୟରେ ଗଠବନ୍ଧନ ଭାଙ୍ଗିଲାପରେ ମଧ୍ୟ ରାଜନୈତିକ ଝଡ ଥମିବାର ନାଁ ନେଉ ନାହିଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜାମ୍ମୁ-କାଶ୍ମୀର ବିଜେପି ପ୍ରଭାରୀ ରାମ ମାଧବ ପୂର୍ବରୁ ପିଡିପି ସହିତ ମେଣ୍ଟ ଭାଙ୍ଗିବାର କାରଣ ସ୍ପଷ୍ଟ କରିଥିଲେ । ଏବଂ ପିଡିପି ଉପରେ ଆରୋପ ଲଗାଇ କହିଥିଲେ ଯେ, ପିଡିପି ଜାମ୍ମୁ-କାଶ୍ମୀରର ସ୍ଥିତିକୁ ଆୟତ୍ତ କରିବାରେ ବିଫଳ । ପୂର୍ବରୁ ସେଠାରେ ଆସିଫା ଦୁଷ୍କର୍ମ ମାମଲା, ବରିଷ୍ଠ ସାମ୍ବାଦିକ ସୁଜତ ବୁଖାରୀଙ୍କ ହତ୍ୟାକାଣ୍ଡ ଭଳି ଅନେକ ଘଟଣାକୁ ମେଣ୍ଟ ଭାଙ୍ଗିବାର ଅନ୍ୟ ଏକ କାରଣ ବୋଲି କହିଥିଲା ବିଜେପି । ତେବେ ପିଡିପି ମୁଖ୍ୟ ତଥା ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଟ୍ୱିଟ୍ କରି ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି ।

ମୁଫତି ଟ୍ୱିଟ୍ କରି ପୂର୍ବତନ ସହଯୋଗୀ ଦଳ ବିଜେପି ତାଙ୍କ ଦଳ ଉପରେ ଲଗାଇଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି । ଆତଙ୍କବାଦୀଙ୍କ ପ୍ରତି ନରମପଂଥୀ ଦଳ ଭାବେ ପିଡିପି ଦଳକୁ ବିବେଚନା କରିଥିବା ମଧ୍ୟ ଖଣ୍ଡନ କରିଛନ୍ତି ମେହେବୁବା ମୁଫତି । ଏପରିକି ବିଜେପି ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହଯୋଗ କରିବା ପାଇଁ ପିଡିପି କେବେ ପଛଘୁଞ୍ଚା ଦେଇନଥିଲା । ଏହାପରେ ମଧ୍ୟ ତାଙ୍କ ଉପରେ ଲଗାଯାଇଥିବା ଆରୋପ ମୁଫତିଙ୍କୁ ବ୍ୟଥିତ କରିଥିବା ଟ୍ୱିଟ କରି ଜଣାଇଛନ୍ତି । ବିଜେପି ଏବଂ ଖୋଦ ପୂର୍ବରୁ ପିଡିପି ମନ୍ତ୍ରୀମଣ୍ଡଳରେ ଥିବା ବିଜେପି ନେତା ଚୌଧୁରୀ ଲାଲ ସିଂ ମଧ୍ୟ ଆତଙ୍କବାଦୀଙ୍କ ପ୍ରତି ‘ନରମପନ୍ଥୀ’ ହୋଇଥିବା ଆରୋପ ମୁଫତିଙ୍କ ଉପରେ ଲଗାଇଥିଲେ ମଧ୍ୟ ଆରୋପକୁ ମୁଫତି ଖଣ୍ଡନ କରିଛନ୍ତି ।

ଆତଙ୍କବାଦୀଙ୍କ ଆକ୍ରମଣକୁ ରୋକିବା ପାଇଁ ଅନେକ କ୍ଷେତ୍ରରେ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା । କାରଣ ନରମପନ୍ଥୀ ବାଟ ଆପଣାଇ ଦୃଢ଼ତାର ସହ ଲଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ନୀତି ଆପଣାଇଥିଲୁ । କେନ୍ଦ୍ରକୁ ସବୁବେଳେ ସହାୟତା ଲୋଡିଛୁ ହେଲେ ବିଜେପି ରାଜ୍ୟ ପ୍ରଭାରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅନେକ ସମୟରେ ନରପନ୍ଥୀ ହେବାକୁ ବାଧ୍ୟ କରିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ମୁଫତି । ଏହାସହ କାଠୁଆ ଦୁଷ୍କର୍ମ ଘଟଣା ତାଙ୍କୁ ବ୍ୟଥିତ କରିଥିଲା । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା କରିବା ପାଇଁ ହାତ ବଢ଼ାଇଥିଲେ ବୋଲି ଟ୍ୱିଟରରେ ବର୍ଣ୍ଣନା କରିଛନ୍ତି ମେହେବୁବା ମୁଫତି ।