#MeToo  ଉପରେ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ : କହିଲେ ଅଭିଯାନର ଭୁଲ୍ ଫାଇଦା ଉଠାଉଛନ୍ତି ମହିଳା, ଅଭିଯୋଗ କରିବା ପାଇଁ ନେଉଛନ୍ତି ଟଙ୍କା

32

କନକ ବ୍ୟୁରୋ : #MeToo  ଜରିଆରେ ଭାରତୀୟ ମହିଳାମାନେ ଅତୀତରେ ନିଜ ସହ ହୋଇଥିବା ଯୌନଶୋଷଣ ଘଟଣାକୁ ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ଅଭିଯୋଗ କରୁଛନ୍ତି । ବଲିଉଡ଼୍ ଠାରୁ ଆରମ୍ଭ କରି ବିଭିନ୍ନ ଅନ୍ୟ କ୍ଷେତ୍ରରେ ମହିଳାମାନେ ନିଜ ଅବ୍ୟକ୍ତ ବେଦନାକୁ #MeToo  ଜରିଆରେ ଜାହିର କରୁଛନ୍ତି । ଅନେକ ମହିଳା ଆଗରୁ ଯାହା କହିପାରୁ ନଥିଲେ ବା କହିବା ପାଇଁ ଲଜ୍ଜା ଅନୁଭବ କରୁଥିଲେ, ଡରୁଥିଲେ, ଏହି କ୍ୟାମ୍ପେନ ଜରିଆରେ ଖୋଲଖୋଲି କତାବାର୍ତ୍ତା କରିବା ପାଇଁ ସାହାସ କରୁଛନ୍ତି । ଆଉ ଏଥିଯୋଗୁଁ ଦେଶର ଅନେକ ଅନେକ ବଡ଼ ବଡ଼ ନେତା ଓ ତାରକାଙ୍କ ଅସଲ ଚେହେରା ପଦାରେ ପଡ଼ିଛି ।

ତେବେ ଏହି କ୍ୟାମ୍ପେନ ଯୋଗୁଁ ମହିଳାମାନେ ସୁଯୋଗ ଭୁଲ ଫାଇଦା ଉଠାଉଛନ୍ତି ବୋଲି ଜଣେ ବିଜେପି ନେତା ଅଭିଯୋଗ କରିଛନ୍ତି । ବିଜେପି ସାଂସଦ ଉଦିତ୍ ରାଜ୍ କହିଛନ୍ତି, କିଛି ମହିଳା ଜାଣିଶୁଣି ପୁରୁଷଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି । କେବଳ ଟଙ୍କା ପାଇଁ #MeToo କୁ ସାହାରା କରୁଛନ୍ତି । ସେ ଆହୁରି ଅଭିଯୋଗ ଆଣିବା ପାଇଁ ୨ରୁ ୪ ଲକ୍ଷ ପର‌୍ୟ୍ୟନ୍ତ ଟଙ୍କା ନେଉଛନ୍ତି ମହିଳା । ତେବେ ଏପରି ଘଟଣାରେ ପ୍ରାୟତଃ ପୁରୁଷ ମାନଙ୍କର ଅଧିକ ଭୁଲ ଥାଏ ବୋଲି ମଧ୍ୟ ସେ କହିଛନ୍ତି । ମାତ୍ର ସବୁ ମହିଳା କ’ଣ ଠିକ୍, ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳାଙ୍କ ଏପରି ଅଭିଯୋଗ ପାଇଁ ଅନେକ ନିର୍ଦ୍ଦୋଶ ପୁରୁଷଙ୍କ ଜୀବନ ନଷ୍ଟ ହୋଇ ଯାଉଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସ୍ଥିତିକୁ ନେଇ ସେ କହିଛନ୍ତି ୧୦ ବର୍ଷ ପୂର୍ବରୁ ଘଟଣାକୁ ଏବେ ସମସ୍ତେଙ୍କ ଆଗରେ କହି ଅଭିଯୋଗ କରିବାର ଅର୍ଥ କ’ଣ ହୋଇପାରେ ? ଏତେ ବର୍ଷ ପରେ ଅଭିଯୋଗ କଲେ ମାମଲାର ଯାଂଚ କରିବା ମଧ୍ୟ ମୁସ୍କିଲ ହୋଇପଡ଼ିବ । ଏହା ବ୍ୟତୀତ ଯେଉଁ ବ୍ୟକ୍ତିଙ୍କ ଉପରେ ମିଛ ଅଭିଯୋଗ କରାଯାଉଛି, ତାଙ୍କ ମାନସମ୍ମାନ ହାନି ହେବା ସହ ସାଧାରଣ ଜୀବନଯାପନ କରିବା କଷ୍ଟକର ହୋଇପଡ଼ୁଛି ।