ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ! ରାହୁଲଙ୍କ ଘରେ ଘନ ଘନ ବୈଠକ

186

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଘରେ ବସୁଛି ଘନ ଘନ ବୈଠକ । ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ଉପସ୍ଥିତିରେ ରାଜସ୍ଥାନର ପର୍ଯ୍ୟବେକ୍ଷକ ଓ ପ୍ରଭାରୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । ତାପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଦୁଇ ନେତା ସଚିନ୍ ପାଇଲଟ୍ ଓ ଅଶୋକ ଗେହଲୋଟଙ୍କ ସହ ରାହୁଲ ଆଲୋଚନା କରିଛନ୍ତି । ଆଲୋଚନା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନେଇ କିଛି ନିଷ୍କର୍ଷ ବାହାରିପାରେ ବୋଲି ଅନୁମାନ କରାଯାଉଛି । ଆଲୋଚନା ପୂର୍ବରୁ ସକାଳୁ ସକାଳୁ ସମସ୍ତ ବିଜୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ଖୁବ୍ ଶୀଘ୍ର କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧି । ମଧ୍ୟପ୍ରଦେଶରେ ବି ସମାନ ସ୍ଥିତି । କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ।

ସେପଟେ ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ କେନ୍ଦ୍ରୀୟ ନେତୃତ୍ୱ ଆଗରେ ଚାପ ବଢିବାରେ ଲାଗିଛି । ଦିଲ୍ଲୀରେ ପଂହଚିଛନ୍ତି ସଚିନ ପାଇଲଟଙ୍କ ସମର୍ଥକ । ସଚିନଙ୍କ ସମର୍ଥକ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ଘର ଆଗରେ ନାରାବାଜି କରିଛନ୍ତି । ରାଜସ୍ଥାନରେ ମଙ୍ଗବାରଦିନ ଫଳାଫଳ ଆସିବା ପରେ ହିଁ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଛି । ଦୁଇଦିନ ହେଲା ଜୟପୁରରେ ସମର୍ଥକମାନେ ସଚିନଙ୍କ ସମର୍ଥନରେ ନାରାବାଜି କରିଥିଲେ ।

ଅନ୍ୟପଟେ ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ହାଇକମାଣ୍ଡଙ୍କ କୋର୍ଟକୁ ଗଲା ଛତିଶଗଡର ମୁଖ୍ୟମନ୍ତ୍ରୀ ଚୟନ । ନବ ନିର୍ବାଚିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାହା ନିଷ୍ପତି ନେବେ ତାକୁ ସ୍ୱାଗତ କରାଯିବ ।