ରତ୍ନଭଣ୍ଡାର ଯାଂଚ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ! ଆଜି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ପୋଲିସ ପ୍ରଶାସନର ବୈଠକ

36

କନକ ବ୍ୟୁରୋ : ଆଜି ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ସହ ପୋଲିସ ପ୍ରଶାସନର ବୈଠକ ବସୁଛି । ଏଥିରେ ରତ୍ନଭଣ୍ଡାର ଖୋଲିବା ବେଳେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ । ଭକ୍ତଙ୍କ ପାଇଁ ଦର୍ଶନ କେତେ ସମୟ ବନ୍ଦ ରହିବ ସେ ବାବଦରେ ବି ଆଲୋଚନା ହେବ । ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୪ ତାରିଖରେ ରତ୍ନଭଣ୍ଡାର ଯାଂଚ ପାଇଁ ଆପତତଃ ସ୍ଥିର ହୋଇଛି । ଏ ନେଇ ଛତିଶନିଯୋଗ ବୈଠକରେ ବିସ୍ତୁତ ଆଲୋଚନା ବି ହୋଇଛି ।

ସୂଚନାଯୋଗ୍ୟ ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ।  ଯେଉଁମାନେ ଭଣ୍ଡାର ଘରଭିତରକୁ ଯିବେ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରିଛି ପ୍ରଶାସନ । କେବଳ ଧୋତି ଓ ଗାମୁଛା ପିନ୍ଧି ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ସଦସ୍ୟ । ଏହାସହ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ରହିବ ନାହିଁ । ଆଉ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତଙ୍କ ତନଖି କରାଯିବ । ଏମିତିକି ଯେଉଁ ଧୋତି ଓ ଗାମୁଛା ପିନ୍ଧି ରତ୍ନଭଣ୍ଡାରକୁ ପ୍ରେବଶ କରିବେ, ସେ ପରିଧାନ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।ଏହାଛଡା ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କାନିଂ ଓ ଫେସ୍କିଂ କରାଯିବ । ଯେପରି ଭିତରକୁ ବାହରର କୌଣସି ଜିନିଷ ନ ଯାଏ ।

ରତ୍ନଭଣ୍ଡାରର ବିଭିନ୍ନ ଗୃହ, ଘନ ଅନ୍ଧକାର ଭିତରେ ଥିବାରୁ ପ୍ରବେଶ ବେଳେ ମୁଣ୍ଡରେ ଏଲଇଡି ଲାଇଟ୍ ଲଗାଇବାକୁ ବ୍ୟବସ୍ଥା କରାଯିବ । ଖଣି ଅଂଚଳରେ ବ୍ୟବହାର ହେଉଥିବା ଏହି ଏଲଇଡି ଲାଇଟ୍ , ଖୁବ ଉଜ୍ଜଳ ଭାବେ ଜଳୁଥିବାରୁ ଏହା ବାଟ କଢେଇନେବ । ଆଉ ଏହି ସବୁ ଗତିବିଧିର ଭିଡିଓଗ୍ରାଫ୍ କରାଯିବ । ଯାହା ମନ୍ଦିର ପ୍ରଶାସନର ତତ୍ୱାବଧାନରେ ସଂରକ୍ଷିତ ରଖାଯିବ । ସେହିଭଳି ରତ୍ନଭଣ୍ଡାର ଭିତରକୁ ଯାଇଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଡାକ୍ତରୀ ଦଳ ମହଜୁଦ ରହିବେ । ଯଦି ଆବଶ୍ୟକ ପଡେ ସ୍ନେକ ହେଲ୍ପଲାଇନର ମଧ୍ୟ ସହାୟତା ଲୋଡାଯିବ ।

ବଡ଼ କଥା ହେଉଛି ଏହି ଭିଡିଓଗ୍ରାଫ କେବଳ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଆବଶ୍ୟକ ହେଉଥିବା କାନ୍ଥ ଓ ଛାତ ଆଦିର କରାଯିବ । ରତ୍ନଭଣ୍ଡାରେ ଥିବା କୌଣସି ସାମଗ୍ରୀ କିମ୍ବା ଅଳଙ୍କାରର କୌଣସି ଚିତ୍ର ଉତୋଳନ ହେବ ନାହିଁ । ରତ୍ନ ଭଣ୍ଡାର ପ୍ରବେଶ ସମୟରେ ସେଠାରେ କଣ ଅଛି ତାହା ଉପରେ ସଦସ୍ୟ ମାନେ ନଜର ପକାଇବେ ନାହିଁ ଓ ବାହାରେ କାହାକୁ ଏ ବାବଦରେ କୌଣସି ସୂଚନା ଦେବେ ନାହିଁ ବୋଲି ଭଣ୍ଡାର ଘରେ ପ୍ରବେଶ କରିବାକୁ ଥିବା ସଦସ୍ୟଙ୍କୁ ସତର୍କ କରାଇ ଦିଆଯିବ । ଆଉ ଏସବୁ ଭିତରେ ଅପେକ୍ଷା ଆସନ୍ତା ୪ ତାରିଖକୁ, ଯେତେବେଳେ ଖୋଲାହେବ ରତ୍ନଭଣ୍ଡାର ।