ରସଗୋଲା ଯୁଦ୍ଧରେ ପଶ୍ଚିମବଙ୍ଗର ବାଜିମାତ୍ ପରେ ପଶିଲା ଚେତା ! ଜିଆଇ ମାନ୍ୟତା ପାଇଁ ଦାବି କରିବେ ଓଡିଶା ସରକାର

38

କନକ ବ୍ୟୁରୋ : ପଶ୍ଚିମବଙ୍ଗକୁ ବଙ୍ଗଳା ରସଗୋଲାର ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଓଡିଶା ରସଗୋଲା ପାଇଁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବେଦନ କରିବେ ବୋଲି କହିଛନ୍ତି ଏମଏସଏମ ସଚିବ ଏଲଏନ ଗୁପ୍ତା । ଏହି ଆବଦେନ ପାଇଁ ସବୁ ତଥ୍ୟ ଏକାଠି କରାଯାଇଛି । ଆଜି କାଲି ନୁହେଁ ୬ଶହ ବର୍ଷ ତଳୁ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲାଗି ଆସୁଥିବା ବେଳେ ଏହାର ପ୍ରସ୍ତୁତି ଓ ପ୍ରଣାଳୀ ଭିନ୍ନ ବୋଲି ସେ କହିଛନ୍ତି ।

ବିଜ୍ଞାନ ଓ କରିଗର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଚିବ । ଗତକାଲି ପଶ୍ଚିମବଙ୍ଗକୁ ବଙ୍ଗଳା ରସଗୋଲା ଜିଆଇ ଟ୍ୟାଗ ହାସଲ କରିବା ପରେ ଓଡିଶା ସରକାରଙ୍କ ଚେତା ପଶିଥିଲା । ଓଡିଶା ରସଗୋଲାର ଜିଆଇ ରେଜିଷ୍ଟ୍ରେସନ ହାସଲ ପାଇଁ ଦାବି ଜଣାଇବେ ବୋଲି ସରକାର କହିଥିଲେ । ୬ ଶହ ବର୍ଷ ତଳୁ ଓଡିଶାରେ ପ୍ରସ୍ତୁତ ହୋଇ ଆସୁଥିବା ଓଡିଶାର ରସଗୋଲା ପାଇଁ ଜିଆଇ ରେଜିଷ୍ଟ୍ରେସନ ମାନ୍ୟତା ହାସଲ କରିବାକୁ ଓଡିଶା ସରକାର ତଥ୍ୟ ସମ୍ବଳିତ ଦାବି ଦାଖଲ କରିବେ ।

ସୂଚନାଯୋଗ୍ୟ ଗତକାଲି ପଶ୍ଚିମବଙ୍ଗକୁ ବଙ୍ଗଳା ରସଗୋଲା ଜିଆଇ ଟ୍ୟାଗ ମାନ୍ୟତା ମିଳିଥିଲା । ତେବେ ରସଗୋଲାର ଉତ୍ପତିସ୍ଥଳକୁ ନେଇ କୌଣସି ବିଚାର ହୋଇନଥିବା କହିଥିଲା ଚେନ୍ନାଇ ସ୍ଥିତ ସମ୍ପୃକ୍ତ କାର୍ଯ୍ୟାଳୟ । କେବଳ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ ମାନ୍ୟତା ଦିଆଯାଇଥିବା ଚେନ୍ନାଇସ୍ଥିତ ଜିଆଇ ଟ୍ୟାଗ ଅଫିସର ସହକାରୀ ନିବନ୍ଧକ ଚିନ୍ନାରାଜା ଜି ନାଇଡୁ ସୂଚନା ଦେଇଥିଲେ । ରସଗୋଲାର ଉତ୍ପତି ସ୍ଥଳକୁ ନେଇ କୌଣସି ବିଚାର କରାଯାଇ ନାହିଁ ଏବଂ ଏହା ଏକ ବ୍ରାଣ୍ଡ ବଢାଇବାର କୌଶଳ ବୋଲି କହିଥିଲେ ସହକାରୀ ନିବନ୍ଧକ । ଏହାସହ ବାଲାଂର ରସଗୋଲା କେବଳ ପଶ୍ଚିମବଙ୍ଗରେ ସୀମିତ ବୋଲି ଚେନ୍ନାଇର ଟ୍ୟାଗ ଅଫିସ ର ଅତିରିକ୍ତ ପ୍ରବନ୍ଧକ ଚିନ୍ନାରାଜା ଜି ନାଇଡୁ କହିଥିଲେ । ପୂର୍ବରୁ ରସଗୋଲାର ଉତ୍ପତି ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା ।

ଜିଆଇ ମାନ୍ୟତା ପାଇଁ ପଶ୍ଚିମବଙ୍ଗ ସରକାର ଆବେଦନ ବି କରିଥିଲେ । ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ବଙ୍ଗଲା ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଥିଲେ ଯେ, ବଙ୍ଗଳା ହେଉଛି ରସଗୋଲାର ଉତ୍ପତି । ତେବେ ରସଗୋଲାର ଉତ୍ପତିସ୍ଥଳକୁ ନେଇ କୌଣସି ବିଚାର କରାଯାଇନଥିବା ସ୍ପଷ୍ଟ କରିଛନ୍ତି ସମ୍ପୃକ୍ତ କାର୍ଯ୍ୟାଳୟ । ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ଏହାକୁ ୧୮୬୮ ମସିହାରେ ଆବିଷ୍କାର କରିଥିଲେ । ପୂର୍ବରୁ ଓଡିଶା ସରକାର ରସଗୋଲାର ଉତ୍ପତି ୬୦୦ ବର୍ଷତଳର ବୋଲି କହିଥିଲେ । ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଥିବା ସାହିତ୍ୟିକ ପ୍ରମାଣ ମଧ୍ୟ ରହିଛି, ଯାହାକି ୫ ଶହ ବର୍ଷ ପୁରୁଣା । ରସଗୋଲାର ଉତ୍ପତି ନେଇ ଦୁଇବର୍ଷ ତଳେ ଓଡିଶା ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହେବା ପରେ ଏହି ବିବାଦ ଦେଖାଦେଇଥିଲା ।