କଂଗ୍ରେସ ଉଠିବ ଓଡ଼ିଶା ହସିବ ! କଂଗ୍ରେସ ଶିବିରରେ ନୂଆ ଉତ୍ସାହ ଭରିଦେଲେ ନିରଞ୍ଜନ , ପ୍ରଭାରୀ କହିଲେ, ରାହୁଲଙ୍କ ଫୋକସରେ ଓଡ଼ିଶା

24

କନକ ବ୍ୟୁରୋ : କଂଗ୍ରେସ ପାଇଛି ପୁନର୍ଜୀବନ । ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପୁଣି ଥରେ ପିସିସି ସଭାପତି ହେବା ପରେ ଚଳଚଂଚଳ ହୋଇ ଉଠିଛି ରାଜ୍ୟ କଂଗ୍ରେସ ଶିବିର । ଗତକାଲି ବିଶାଳ ଶୋଭାଯାତ୍ରା ପରେ ଆଜି କଂଗ୍ରେସ ଭବନରେ ବିଧାୟକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି ଏବଂ ଓଡିଶା ପ୍ରଭାରୀ । ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇ ଦଳ ବୋଲି ନିଷ୍ପତି ହୋଇଛି । ଏହା ସହ କଂଗ୍ରେସର ଫୋକସରେ ଓଡିଶା ରହିଥିବା ବେଳେ ଆବଶ୍ୟକ ହେଲେ ପ୍ରତି ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ଏପଟେ ତୃଣମୂଳ ସ୍ତରରୁ ଲୋକଙ୍କ ସହ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

niranjan pattanaikକଂଗ୍ରେସ ଉଠିଲେ, ଓଡ଼ିଶା ହସିବ । ଏହି ନାରା ଦେଇ ନୂଆ ନେତୃତ୍ୱ ସହ ପୁଣି ଥରେ ସଂଗଠିତ ହେବାକୁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ । ନୂଆ ଉତ୍ସାହ ଏବଂ ନୂଆ ଉର୍ଜା ଭିତରେ ଲୋକଙ୍କ ବିଶ୍ୱାସ ଫେରି ପାଇବାକୁ ଆହ୍ୱାନ ଦେଇଛନ୍ତି ନୂଆ ପିସିସି ସଭାପତି । ଲୋକଙ୍କ ଆସ୍ତା ଭାଜନ ହେବା ପାଇଁ ସଂଗଠନକୁ ନୂଆ ମୁଖିଆ ଗୁରୁତ୍ୱ ଦେଉଥିବା ବେଳେ କଂଗ୍ରେସକୁ ମଜବୁତ କରିବା ପାଇଁ ଦିଲ୍ଲୀ ଦରବାରରୁ ମିଳିଛି ଅଭୟବାଣୀ । ଏପରିକି ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଦରକାର ପଡିଲେ ରାହୁଲ ଗାନ୍ଧୀ ପ୍ରତି ମାସରେ ଓଡ଼ିଶାକୁ ଆସିବାକୁ ମଧ୍ୟ ରାଜି ଅଛନ୍ତି ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ । ପ୍ରଭାରୀଙ୍କ ଏହି ମନ୍ତବ୍ୟ ହିଁ ପ୍ରମାଣ କରୁଛି-କଂଗ୍ରେସର ଫୋକସରେ ରହିଛି ଓଡ଼ିଶା । ଆଉ ଏପଟେ ସଂସ୍କାର ପାଇଁ ପ୍ରଥମ ଦିନରୁ ହିଁ ପଡ଼ି ସାରିଛି ମୁଳଦୁଆ । ଦଳର ବିଧାୟକ, ଛାମୁଆ ସଂଗଠନ ଏବଂ ଜିଲ୍ଲା ସଭାପତିଙ୍କୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ନିରଞ୍ଜନ ।

niranjan pattanaikଏହି ବୈଠକରେ ହୋଇଥିବା ନିଷ୍ପତି କହୁଛି-ଆଉ ବିଧାୟକ ଦଳ ଏବଂ ପିସିସି ଏଣିକି କାନ୍ଧକୁ କାନ୍ଧ ମିଶାଇ କାର୍ଯ୍ୟ କରିବେ । ବିଧାନସଭାରୁ ରାଜରାସ୍ତା ଗୋଟିଏ ସ୍ୱରରେ ଲଢ଼େଇ କରିବ କଂଗ୍ରେସ । ଏପରିକି ସମସ୍ତ ବିଧାୟକଙ୍କୁ ଏଆଇସିସି ସଦସ୍ୟ କରିବାକୁ ମଧ୍ୟ ଜିତେନ୍ଦ୍ର ସିଂହ ଘୋଷଣା କରିଥିବା ନେଇ କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ କହିଛନ୍ତି ।

ଦୁଇ ଦିନ ଭିତରେ ଯେମିତି ବଦଳି ଯାଇଛି କଂଗ୍ରେସର ମନୋବଳ । ଗୋଟିଏ ସମୟରେ ଝାଉଁଳି ଗଲାଭଳି ମନେ ହେଉଥିବା କଂଗ୍ରେସ ଯେମିତି ପୁଣି ଥରେ ଜୀବନ୍ୟାସ ପାଇଯାଇଛି । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସର ପଟୁଆର ବୋଧେ ସେଇୟା ହିଁ ବୟାନ କରୁଛି । ହାତରେ ମାତ୍ର ଗୋଟିଏ ବର୍ଷ, ଚ୍ୟାଲେଂଜ୍ କିନ୍ତୁ ବହୁତ ବଡ । ଆଉ ଏହି ଚ୍ୟାଲେଂଜ୍କୁ ଆହ୍ୱନ ଭାବେ ଗ୍ରହଣ କରି କେନ୍ଦ୍ରର ମୋଦି ଏବଂ ରାଜ୍ୟର ନବୀନ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ନିଷ୍ପତି ନେଇଛି ନିରଞ୍ଜନଙ୍କ ନୂଆ ଟିମ୍ ।