ରାଜ୍ୟରେ କଂଗ୍ରେସକୁ ମଜବୁଦ୍ ପାଇଁ ପ୍ରୟାସ ଆରମ୍ଭ ! ଆଜି ଜିଲ୍ଲା ସଭାପତିଙ୍କୁ ଭେଟିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ

21

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମଜବୁଦ୍ କରିବା ପାଇଁ ଆରମ୍ଭ ହୋଇଛି କସରତ । ଦଳକୁ କିଭଳି ସଂଗଠିତ କରାଯିବ ଏବଂ ଦଳ ଭିତରରେ ଥିବା ବିବାଦର ସମାଧାନ ବାଟ ଖୋଜିବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ।

ଦୁଇ ଦିନ ଧରି ପ୍ରର୍ଯ୍ୟାୟ କ୍ରମେ ଦଳର ନେତା, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ସାଂସଦ ଗୌରବ ଗୋଗୋଇ । ଏହାସହ ରାଜ୍ୟ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଓଡିଶାରେ ଅଛନ୍ତି ।

ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପରେ ପିସିସିର ନେତୃତ୍ୱ ପରିବର୍ତ୍ତନ ଦାବି ଯୋର ଧରିଛି । ପର୍ଯ୍ୟବେକ୍ଷକଙ୍କୁ ଭେଟିବା ନେଇ ପ୍ରସାଦଙ୍କ କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ଦଳ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲା ସଭାପତି ଥିବା ବିଧାୟକ ଦୁଇ ଦୁଇ ଥର ପର୍ଯ୍ୟବେକ୍ଷକଙ୍କୁ ଭେଟି ପାରିବେ ନାହିଁ ବୋଲି ପିସିସି ସଭାପତି ଜାରି କରିଥିଲେ ଫତୱା । ହେଲେ ଏହାକୁ ଅମାନ୍ୟ କରି ପିସିସି ସଭାପତି ହଟାଇବା ଜିଦରେ ଅଟଳ ଅଛନ୍ତି ବିଧାୟକମାନେ । ଆଜି ପର୍ଯ୍ୟବେକ୍ଷକମାନେ ଜିଲ୍ଲାସଭାପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।