ଦେଶରେ ବନ୍ୟା ଓ ମରୁଡ଼ି କ୍ଷୟକ୍ଷତି ନିୟନ୍ତ୍ରଣ ପାଇଁ ଚିଠା ପ୍ରସ୍ତୁତ

36

କନକ ବ୍ୟୁରୋ: ଦେଶରେ ପ୍ରତ୍ୟେକବର୍ଷ ବନ୍ୟା ଓ ମରୁଡ଼ି ଜନିତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏନେଇ ବୈଜ୍ଞାନିକ ମାନଙ୍କର ସହାୟତା ଲୋଡ଼ାଯିବ । ରୁର୍କି ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହାଇଡ୍ରୋଲୋଜିର ବୈଜ୍ଞାନିକମାନେ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ ଅନୁସାରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରୋଜେକ୍ଟର ଚିଠା ପ୍ରସ୍ତୁତ କରିଛନ୍ତି । ନ୍ୟାସନାଲ ହାଇଡ୍ରୋଲୋଜି ପ୍ରୋଜେକ୍ଟ ଅନ୍ତର୍ଗତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହାଇଡ୍ରୋଲୋଜିର ବୈଜ୍ଞାନିକମାନେ ଦେଶର ସବୁ ରାଜ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବନ୍ୟା ନିୟନ୍ତ୍ରଣ ସମ୍ପର୍କରେ ବିଶେଷଜ୍ଞ ଓ ଅଧିକାରୀମାଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ । ଏଥିରେ ନଦୀ ମାନଙ୍କରେ ପ୍ରତ୍ୟେକ ବର୍ଷ ଆସୁଥିବା ବନ୍ୟାର କ୍ଷୟକ୍ଷତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯିବ । ରିଭର ବେସିନ ମ୍ୟାନେଜମେଣ୍ଟ୍ ଅନ୍ତର୍ଗତ ଭୂଜଳର ପରିଚାଳନା ସମ୍ପର୍କରେ ବୈଷୟିକ ସୁଚନା ମଧ୍ୟ ଉପଲବ୍ଧ କରାଯିବ ।

ନ୍ୟାସନାଲ ହାଇଡ୍ରୋଲୋଜି ପ୍ରୋଜେକ୍ଟ ପାଇଁ ସମୁଦାୟ ୩୬୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ୧୮୨୦ କୋଟି ଟଙ୍କା ବ୍ୟୟ କରିବେ । ପ୍ରକଳ୍ପ ୮ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟମାନଙ୍କରେ ବୈଜ୍ଞାନିକ ମାନଙ୍କ ଦ୍ୱାରା ଯେଉଁ ସବୁ ପ୍ରଶିକ୍ଷଣ କାର୍ଯ୍ୟ ଆୟୋଜନ କରାଯିବ ସେଥିରେ ଫ୍ଲଡ୍ ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ଆୟରଲାଣ୍ଡ ଓ ନେଦରଲାଣ୍ଡ୍ ଦେଶମାନଙ୍କରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ିକୁ ଭାରତରେ କିଭଳି ପ୍ରୟୋଗ କରାଯିବ ସେ ସମ୍ପର୍କରେ ମଧ୍ୟ ଅବଗତ କରାଯିବ ।

କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ଦେଶର ବୈଜ୍ଞାନିକଙ୍କୁ ୟୁନେସ୍କୋ ଇନଷ୍ଟିଚ୍ୟୁଟ୍ ଫର ଓ୍ଵାଟର ଏଜୁକେସନକୁ ପ୍ରଶିକ୍ଷଣ ପାଇଁ ପଠାଯିବ । ଉଲ୍ଲେଖଯୋଗ୍ୟ ବନ୍ୟା ଯୋଗୁଁ କ୍ଷୟକ୍ଷତିରୁ ଲୋକମାନଙ୍କୁ ବଞ୍ଚାଇବାପାଇଁ କେନ୍ଦ୍ର ଜଳ ଆୟୋଗ ୧୯୭୫ରେ ମଡେଲ୍ ଫ୍ଲଡ୍ ବିଲ୍ର ଚିଠା ତିଆରି କରି ରାଜ୍ୟମାନଙ୍କୁ ପଠାଇ ଥିଲେ । ଅନେକ ରାଜ୍ୟମାନଙ୍କ ଦ୍ୱାରା ଏହି ବିଲକୁ ବିରୋଧ କରାଯିବାପରେ ସରକାର ଆଗକୁ ଅଗ୍ରସର ହୋଇନଥିଲେ ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ମଧ୍ୟ ଘାରିଛି ମରୁଡି ଚିନ୍ତା । ସମ୍ଭାବ୍ୟ ମରୁଡିର ମୁକାବିଲା କରିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବୈଠକ । ଏହି ବୈଠକରେ ୭ଦିନ ଭିତରେ ପଂଚାୟତ ୱାରି କ୍ଷୟକ୍ଷତିର ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ଜଳ ସମ୍ପଦ ବିଭାଗ ଉଠା ଜଳସେଚନ ପଏଂଟ, ବୋର ୱେଲ୍ ସଚଳ କରି ତଳମୁଣ୍ଡ ଯାଏ କିଭଳି ପାଣି ପହଁଚିବ ସେ ଦିଗରେ କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଫସଲ ହାନି ହୋଇଥିବା ଜମିରେ ବିକଳ୍ପ ଚାଷ ପାଇଁ ବିହନ ଓ ସାର ଯୋଗାଇଦେବାକୁ କୃଷି ବିଭାଗକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ ପୁଣି ଥରେ ଅକ୍ଟୋବର ୧୦ରେ ରାଜସ୍ୱ, କୃଷି ଓ ସମବାୟ ବିଭାଗର ବୈଠକ ବସିବ । ଅସ୍ୱାଭାବିକ ବୃଷ୍ଟିପାତ ଯୋଗୁ ରାଜ୍ୟର ୩୦ ଜିଲ୍ଲାର ୪୦ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।