୧୬ଟି ଫ୍ୟାକ୍ଚର୍ , ୮ଟି ସର୍ଜରୀ ! ବୋନ୍‌ ଡିସଅର୍ଡର ରୋଗ ସତ୍ତ୍ୱେ ହେଲେ ଆଇଏଏସ୍‌ . . ପଢନ୍ତୁ ଉମ୍ମୁଲଙ୍କ ପ୍ରେରଣାଦାୟୀ କାହାଣୀ

25

ଚଳିତ ବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ କାହାଣୀ ଏବେ ଚର୍ଚ୍ଚାରେ  । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ରାଜସ୍ଥାନର ଉମ୍ମୁଲ ଖେର୍ । ବୋନ୍‌ ଡିସଅର୍ଡରରେ ପୀଡିତା ଉମ୍ମୁଲ ଖେର୍ ପାଇଛନ୍ତି ୪୨୦ ନମ୍ବର ସ୍ଥାନ । ବର୍ତ୍ତମାନ ସୁଦ୍ଧା ଉମ୍ମୁଲ ୧୬ଟି ଫ୍ୟାକଚରର ସମ୍ମୁଖୀନ ହୋଇଥିବା ସହ ୮ ଥର ସର୍ଜରୀ ହୋଇ ସାରିଛି । କାରଣ ଏହି ରୋଗରେ ଶରୀରର ହାଡ ସବୁ ଦୁର୍ବଳ ହୋଇଯାଏ । ଯାହାଫଳରେ ପଡିଗଲେ କିମ୍ବା ଆହତ ହୋଇଗଲେ ଫ୍ୟାକଚରର ଡର ଥାଏ । ହେଲେ ଉମ୍ମୁଲଙ୍କ ଦୃଢ ମନୋବଳ ଆଗରେ ହାର୍ ମାନିଛି ଏହି ଭୟାନକ ରୋଗ । ଆଉ ପ୍ରତିକୂଳ ପରିବେଶ ମଧ୍ୟରେ ବି ସେ ହୋଇ ପରିଛନ୍ତି ଆଇଏଏସ୍‌ ।

ତେବେ କେବଳ ବୋନ୍‌ ଡିସଅର୍ଡର ନୁହେଁ ଉମ୍ମୁଲଙ୍କ ଆଇଏଏସ୍ ହେବାର ସ୍ୱପ୍ନ ଆଗରେ ଅର୍ଥ ମଧ୍ୟ ସାଜିଥିଲା ବାଧକ । କାରଣ ଉମ୍ମୁଲଙ୍କ ବାପା ଜଣେ ଫେରିବାଲା । ଉମ୍ମୁଲ ଟିଉସନ୍‌ ସହ ପାର୍ଟ ଟାଇମ୍‌ ଚାକିରି କରି ଜେଏନୟୁରେ ନିଜ ପାଠ ପଢା ଜାରି ରଖଥିଲେ । ଗତ ୨୦୧୨ ମସିହାରେ ଉମ୍ମୁଲ ଏକ ଦୁର୍ଘଟଣାର ଶିକାର ହୋଇ ହ୍ୱିଲ୍‌ ଚେୟାରରେ ବସିଥିଲେ । ହେଲେ ଏହି ହ୍ୱିଲ୍‌ ଚେୟାର କିନ୍ତୁ ଭାଙ୍ଗି ପାରି ନଥିଲା ତାଙ୍କ ସ୍ୱପ୍ନ । ତେବେ ୨୦୧୩ରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ପାସ୍‌ କରିବାରୁ ତାଙ୍କୁ ମାସକୁ ୨୫ ହଜାର ଟଙ୍କା ମିଳୁଥିଲା ।

ଏବେ ନିଜର ଆଇଏଏସ୍‌ ହେବାର ସ୍ୱପ୍ନକୁ ପୂରା କରିଛନ୍ତି ଉମ୍ମୁଲ । ଅଭାବ ଅସୁବିଧାରେ ଥାଇ ବି ପ୍ରଥମ ଚେଷ୍ଟାରେ ଆଇଏଏସ୍‌ ପରୀକ୍ଷା ପାସ୍‌ କରିଥିବା ଉମ୍ମୁଲ ଅନ୍ୟ ମାନଙ୍କ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ । ଉମ୍ମୁଲ କହିଛନ୍ତି ସାମାଜିକ, ଆର୍ଥିକ ଆଦି କ୍ଷେତ୍ରରେ ମୋତେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଛି । ମାତ୍ର ମୋ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସାହାଯ୍ୟ ଆଜି ମୋତେ ଏଠାରେ ପହଞ୍ଚାଇଛି ।