ପାଠ ଆଗରେ ହାର ମାନିଲା ବୟସ ! ୮୦ ବର୍ଷ ବୟସରେ ଛାତ୍ର ବନିଲେ ପୂର୍ବତନ ସାଂସଦ ନାରାୟଣ ସାହୁ

ଏମ୍ଫିଲ୍ ପାସ୍ କରିବା ପରେ ପିଏଚଡି କରୁଛନ୍ତି

147

କନକ ବ୍ୟୁରୋ: ୮୦ ବର୍ଷ ବୟସରେ ବି ଛାତ୍ର । ତାହା ପୁଣି ବାଣୀବିହାର କ୍ୟାମ୍ପସର ହଷ୍ଟେଲ ନମ୍ବର-୫ରେ । ଦୁଇ ଥର ବିଧାୟକ ଓ ଥରେ ସାଂସଦ ଥିବା ପରେ ବି ପରିଣତ ବୟସରେ ବିଦ୍ୟାର୍ଥୀ ପାଲଟିଛନ୍ତି ପୂର୍ବତନ ସାଂସଦ ନାରାୟଣ ସାହୁ । ସକ୍ରିୟ ରାଜନୀତିରୁ ଅବସର ନେବା ପରେ ଗତ ୧୦ ଦଶ ବର୍ଷ ହେଲା ବାଣୀବିହାର ହଷ୍ଟେଲରେ ରହି ସ୍ନାତକୋତ୍ତର, ଏମ୍ଫିଲ୍ ପାସ୍ କରିବା ପରେ ପିଏଚଡି କରୁଛନ୍ତି ନାରାୟଣ ।

ନାରାୟଣ ସାହୁ । ବୟସ ୮୦ । ମାତ୍ର ଏବେ ବି ପିଏଚଡି କରୁଛନ୍ତି ନାରାୟଣ । ଦୁଇ ଥର ବିଧାୟକ ଓ ଥରେ ସାଂସଦ ହେବା ପରେ ତାଙ୍କ ମନରେ ଜାଣିବାର ଆଗ୍ରହ ଶେଷ ହୋଇନଥିଲା । ୧୯୮୦ ଦଶକ ପରେ କ୍ରମଶଃ ମୂଲ୍ୟବୋଧଭିତିକ ରାଜନୀତି ହ୍ରାସ ପାଇଲା । ସେ ଆଉ ସକ୍ରିୟ ରାଜନୀତିରେ ରହିଲେ ନାହିଁ । ପୂର୍ବତନ ସାଂସଦ ଭାବେ ମାଗଣାରେ ଦେଶର ବିଭିନ୍ନ ଅଂଚଳ ବୁଲିଲେ । ତା’ ପରେ ସ୍ଥିର କଲେ ପାଠ ପଢ଼ିବେ ।

୧୯୬୩ରେ ରେଭେନସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଥିଲେ ନାରାୟଣ । ୧୯୭୧ ଓ ୧୯୭୪ରେ ପାଲଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୧୯୮୦ରେ ଦେବଗଡ଼ ଲୋକସଭାରୁ ବି ସାଂସଦ ହୋଇଥିଲେ । ୪ ବର୍ଷ ପର୍ଯ୍ୟନ୍ତ ଥିଲେ ସାଂସଦ । କଂଗ୍ରେସ ନେତା ସ୍ୱର୍ଗତ ଲଲୁ ମହାପାତ୍ର ତାଙ୍କର ଜ୍ୱାଇଁ । ନାରାୟଣ ଯେଉଁ ସମୟରେ ରାଜନୀତି କରୁଥିଲେ ତାହା ବ୍ୟୟବହୁଳ ନଥିଲା । ୧୯୮୦ ଦଶକ ପରେ ଆଉ ଦୁର୍ନୀତିମୁକ୍ତ ରାଜନୀତି ସମ୍ଭବ ହେଲାନି ବୋଲି କହନ୍ତି ନାରାୟଣ ।

ଦଶବର୍ଷ ତଳେ ପ୍ରବେଶିକା ପରୀକ୍ଷା ଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟରେ ସେ ମନସ୍ତତ୍ୱ ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାଁ ଲେଖାଇଲେ । ଶ୍ରେଣୀରେ ଦ୍ୱିତୀୟ ସ୍ଥାନରେ ରହି ୮୩ ପ୍ରତିଶତ ମାର୍କ ବି ରଖିଲେ । ତା’ ପରେ ଏମ୍ଫିଲ୍ ଆଉ ଏବେ ଚାଲିଛି ପିଏଚ୍ଡି । ମାତ୍ର ଏବେ ପିଏଚ୍ଡି ଅପେକ୍ଷା ସେ ତାଙ୍କ ଆତ୍ମଜୀବନୀ ଲେଖିବାରେ ଅଧିକ ବ୍ୟସ୍ତ । “ସମର୍ପିତ ଜୀବନ’ ଶୀର୍ଷକ ଏହି ପୁସ୍ତକ ତାଙ୍କର ଅଙ୍ଗେ ନିଭା କଥା । ଏହି ବହି ନୂଆପିଢ଼ିକୁ ପ୍ରେରଣା ଯୋଗାଇ ବୋଲି ଆଶା ରଖିଛନ୍ତି ନାରାୟଣ ।