କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କ ଓଡିଶା ଗସ୍ତ ବାତିଲ !

23

କନକ ବ୍ୟୁରୋ : ମୀରା କୁମାରଙ୍କ ଓଡିଶା ଗସ୍ତ ବାତିଲ । କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର ଆଜି ଓଡିଶା ଆସିବାର ଥିଲା । ଏକ ସ୍ୱତନ୍ତ୍ର ବିମାନରେ ସଂଧ୍ୟା ସାତଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥାନ୍ତେ । ତେବେ ପାଗ ଖରାପ ଯୋଗୁଁ ତାଙ୍କ ଗସ୍ତ ବାତିଲ ହୋଇଥିବା ରାଜ୍ୟ ସଂଗ୍ରେସ ପକ୍ଷରୁ କୁହାଯାଇଛି ।

ବିଧାନସଭା କନଫରେନ୍ସ ହଲରେ ଦଳୀୟ ବିଧାୟକ ଓ ସାଂସଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିକୁ ବିଧାୟକମାନେ ବିରୋଧ କରିବେ ବୋଲି ଦଳୀୟ ଅନ୍ଦରମହଲରୁ ସୂଚନା ରହିଥିଲା । କାରଣ ପରୋକ୍ଷ ଭାବରେ ପିସିସି ସଭାପତିଙ୍କୁ ବିରୋଧ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ମାଝୀ ।

ପିସିସି ସଭାପତି ଭୋଟର ନୁହେଁ, ସେ କାହିଁକି ବୈଠକରେ ସାମିଲ ହେବେ ବୋଲି ପ୍ରଶ୍ନ ଉଠାଇଥିଲେ ବିଧାୟକ । ଏପରିକି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେବାର ଅଧିକାର ତାଙ୍କର ନାହିଁ ବୋଲି ଖୋଲାଖୋଲି କହିଥିଲେ । ସେ ତାଙ୍କ ଦାୟିତ୍ୱ କିଭଳି ଚଳାଉଛନ୍ତି ସାରା ଓଡିଶା ଦେଖୁଛି ବୋଲି ମନ୍ତବ୍ୟ ରଖିଥିଲେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ।