ଶସ୍ତା ହେବ ଔଷଧ ! ଖୁବଶୀଘ୍ର ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ ସରକାର

67

କନକ ବ୍ୟୁରୋ : ସରକାର ଖୁବ୍‌ଶୀଘ୍ର ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ । ଚଳିତମାସ ଶେଷ ସୁଦ୍ଧା ଏହି ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । ଏଥିରେ ଫାର୍ମା ପ୍ରଡକ୍ଟ ପାଇଁ ମୂଲ୍ୟର ଏକ ନୂଆ ସୂଚୀ ପ୍ରସ୍ତୁତ ହେବ । ଦେଶରେ ବିକ୍ରି ହେଉଥିବା ସବୁ ଔଷଧ ପାଇଁ ଏହି ମୂଲ୍ୟ ସୂଚୀକୁ ମାନଦଣ୍ଡ ଭାବେ ବିଚାର କରାଯିବ । ଏପରିକି ଯେଉଁ ଔଷଧ ଗୁଡ଼ିକ ଏବେ ବି ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ ବାହାରେ ଅଛି ତାହାକୁ ଏହାର ପରିସରକୁ ଅଣାଯିବ ।

image courtesy :Wuhan Social

ଏବେ ସରକାର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସବୁ ଔଷଧର ମୂଲ୍ୟ ନିୟନ୍ତ୍ରଣ କରୁଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହେଉନାହିଁ । ତେବେ ସରକାର ପ୍ରାୟ ୮୫୦ଟି ଅତ୍ୟାବଶ୍ୟକ ଔଷଧର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ଔଷଧ ନିୟାମକ ସଂସ୍ଥା ଏନପିପିଏ ପାଇକାରୀ ମୂଲ୍ୟସୂଚୀ ଆଧାରରେ ପ୍ରତିବର୍ଷ ଏହି ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ଅନ୍ୟ ସମସ୍ତ ଔଷଧ ପାଇଁ କମ୍ପାନି ଗୁଡ଼ିକୁ ମୂଲ୍ୟ ବୃଦ୍ଧିର ଅନୁମତି ପ୍ରଦାନ କରାଯାଇଛି । ତେବେ ଏହି ମୂଲ୍ୟ ବୃଦ୍ଧି ବର୍ଷକୁ ୧୦ ପ୍ରତିଶତରୁ ଅଧିକ ହେବନାହିଁ ବୋଲି ବ୍ୟବସ୍ଥା ରହିଛି । ତେବେ ପ୍ରସ୍ତାବିତ ବ୍ୟବସ୍ଥାରେ କେନ୍ଦ୍ର ସରକାର ସବୁ ଔଷଧକୁ ନୂଆ ଔଷଧ ସୂଚୀ ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି ।

ନିତି ଆୟୋଗର ପ୍ରସ୍ତାବ ଅନୁଯାୟୀ ସରକାର ଏହା କରିବାକୁ ଯାଉଛନ୍ତି । ଔଷଧ ନିର୍ମାତାମାନେ ଏହି ସୂଚୀରେ ହେଉଥିବା ପରିବର୍ତ୍ତନ ଅନୁଯାୟୀ ଦର ବଦଳାଇବା ଅନୁମତି ପାଇବେ । ଏହି ପ୍ରସ୍ତାବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚଳିତ ମାସରେ ଏ ନେଇ ବିଜ୍ଞପ୍ତି ଜାରି ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ଦେଶରେ ଔଷଧର ବଜାର ଆକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ବର୍ତ୍ତମାନ ବ୍ୟବସ୍ଥାରେ କେବଳ ୧୭ ପ୍ରତିଶତ ଔଷଧର ମୂଲ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ତେବେ ପରିମାଣ ଦୃଷ୍ଟିରେ ଏହା ସମୁଦାୟ ଔଷଧର ୨୪ ପ୍ରତିଶତ ହେବ ବୋଲି କୁହାଯାଉଛି ।